୨୫ ଜୁନ୍ ୧୯୭୫। ଭାରତର ରାଜନୀତିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ସେଦିନ ସକାଳେ ରାମଲୀଳା ମୈଦାନରେ ଲୋକ ନାୟକ ଜୟପ୍ରକାଶଙ୍କ କ୍ରାନ୍ତିକାରୀ ଭାଷଣରେ ଡରି ଯାଇଥିଲା ଭାରତ ସରକାର। ସନ୍ଧ୍ୟାବେଳେ ପ୍ରଧାନମନ୍ତ୍ରୀ ଲୌହ ମାନବୀ ଇନ୍ଦିରା ଗାନ୍ଧି ଦେଶରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରିଥିଲେ। ସାରା ଦେଶର ରାଜନୀତିରେ ଏହାକୁ କଳା ଅଧ୍ୟାୟ ଭାବେ ତୁଳନା କଲେ ଅଣ କଂଗ୍ରେସ ରାଜନେତା। ଆଉ ସେଇଠୁ ଆରମ୍ଭ ହୋଇଥିଲା ଅଣ କଂଗ୍ରେସ ଶାସନର ଯୁଗ, ପତନ ହେବା ଆରମ୍ଭ କରିଥିଲା କଂଗ୍ରେସ ଗଡ଼।
ସେତେବେଳେ ଶ୍ରୀ ନାରାୟଣ ସରକାରଙ୍କୁ ସିଂହାସନ ଛାଡ଼ିବାକୁ ଆହ୍ୱାନ ଦେଇଥିଲେ। କବି ଦୀନକରଙ୍କ କବିତାର ପଙ୍କ୍ତିକୁ ଉଦ୍ଧାର କରି ନିଜର ଭାଷଣରେ ସେ କହିଥିଲେ ‘ସିଂହାସନ ଖାଲି କରୋ, ଜନତା ଆ’ ରହି ହୈ’। ଏହା ସେତେବେଳେ ଏକ ପଙ୍କ୍ତି ହୋଇ ନଥିଲା, ଲୋକଙ୍କ ରକ୍ତକୁ ଗରମ କରିଥିଲା। ରାମଲୀଳା ମୈଦାନରେ ଏହା ଏତେ ପ୍ରଭାବଶାଳୀ ହୋଇଥିଲା ଯେ, ଏହି ଶୋଭାଯାତ୍ରାରେ ଏକ ଲକ୍ଷ ଲୋକଙ୍କୁ ଦେଖି ହଡ଼ବଡ଼େଇ ଥିଲେ ଲୌହ ମାନବୀ ଇନ୍ଦିରା। ରାତିରେ ସବୁ ଶାସନକୁ ନିଜେ ଏକାଠି କରି ଦେଶରେ ଲାଗୁ ହୋଇଥିଲା ଜରୁରୀ କାଳୀନ ପରିସ୍ଥିତି।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଦେଶବାସୀଙ୍କୁ ସେହି ଜରୁରୀ କାଳୀନ ପରିସ୍ଥିତି କଥା ମନେ ପକାଇ ଦେବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା କଂଗ୍ରେସର କଳା ଶାସନ କଥା ମନେ ପକାଇ ଏହି ଦିନଗୁଡ଼ିକୁ ସ୍ମରଣ କରନ୍ତି। ହେଲେ ଆଜି ଏ କଥା ଉଠିବାର କାରଣ ହେଉଛି କଂଗ୍ରେସର ନଭେମ୍ବର ୧- ‘ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ରାଲି’।
ଏହି ଶୋଭାଯାତ୍ରାକୁ ସଫଳ କରିବା ତଥା ସରକାରଙ୍କ ଉପରେ ଚାପ ପକାଇବା ଲକ୍ଷ୍ୟରେ ସମଗ୍ର ଯୁବା ଏବଂ ନାଗରିକଙ୍କୁ ଆମନ୍ତ୍ରଣ କରିଛନ୍ତି ରାହୁଲ ଗାନ୍ଧି। ୧୦ ଲକ୍ଷ ଲୋକଙ୍କ ଏକାଠି କରିବାକୁ ସେ ଯୋଜନା କରିଛନ୍ତି। ହେଲେ ଏହା କ’ଣ ୧୯୭୫ ଭଳି ପରିସ୍ଥିତି ସୃଷ୍ଟି କରିବ? ଏହା କ’ଣ ମୋଦୀଙ୍କୁ ଇନ୍ଦିରାଙ୍କ ନୀତିକୁ ପୁନରାବୃତ୍ତି କରାଇବାକୁ ବାଧ୍ୟ କରିପାରିବ?
ଏହା କେବଳ ଏକ ଅପରିପକ୍ୱ ରାଜନେତା ହିଁ ଚିନ୍ତା କରିପାନ୍ତି। କାରଣ ସେହି ଇନ୍ଦିରାଙ୍କ ନୀତିକୁ ସମାଲୋଚନା କରି ବିଜେପି ଆଜି ଶାସନରେ ବସିଛି। ଯଦି ଜରୁରୀ ପରିସ୍ଥିତିକୁ ଗ୍ରହଣ କରିବ ତେବେ ତାହା ଦଳ ପାଇଁ ବୁମେରାଂ ହେବ। ଏଣୁ ଏହି ଆନ୍ଦୋଳନ କେବଳ କ୍ଷଣିକ ପ୍ରଭାବ ପକାଇପାରେ। ପୁଣିୁ ଏହା ରାହୁଲଙ୍କ ପାଇଁ ଭବିଷ୍ୟତରେ ଓଲଟା ଫଳ ଦେଇପାରେ!





