ଅନ୍ଧାର ଉପରେ ଆଲୋକର ବିଜୟକୁ ଦୃଷ୍ଟାନ୍ତମୂଳକଭାବେ ପ୍ରତିପାଦିତ କରିବାର ଅନନ୍ୟ ସାର୍ବଜନୀନ ପର୍ବ ହେଉଛି ଦୀପାବଳୀ। ଭାରତୀୟ ସଂସ୍କୃତି ଓ ହିନ୍ଦୁ ଆସ୍ଥା ପାଇଁ ଏହା ଏକ ଉତ୍ସାହ ଏବଂ ଆନନ୍ଦର ଉତ୍ସବ। କିନ୍ତୁ ଏଥିରେ ଯେ ରାଜନୀତିକ ରଙ୍ଗ ଲାଗେ ନାହିଁ ତାହା ଠିକ ନୁହେଁ; ଅନେକ ବର୍ଷ ହେଲା ଏହି ଉତ୍ସବରେ ଭାଗିଦାର ହୋଇ ବିଜେପି ଏବଂ କିଛି ଆଞ୍ଚଳିକ ଦଳ ଭୋଟ ବ୍ୟାଙ୍କ ସୃଷ୍ଟି କରୁଥିବା ଅଭିଯୋଗ ହୁଏ। ହେଲେ ଏଥର କଂଗ୍ରେସ କିଛି ନୂଆ ଚିନ୍ତା କରି ସିଧାସଳଖ ପ୍ରାସଙ୍ଗିକ ବାଣରେ ମୋଦୀଙ୍କୁ ଟାର୍ଗେଟ କରିଛି। ସେଥିଲାଗି ଉତ୍ସବର ଅବ୍ୟବହିତ ପୂର୍ବରୁ ରାମଲୀଳା ମୈଦାନରେ ଆୟୋଜିତ ହେଉଛି ‘ଭୋଟ ବଞ୍ଚାଅ- ଦେଶ ବଞ୍ଚାଅ ରାଲି’…।
ଗଲା ତ୍ରୟମାସିକଟି ଭାରତୀୟ ରାଜନୀତିରେ ଅନେକ ଉତ୍ଥାନପତନକୁ ଏକାଠି ଦେଖିଛି। ୧୪ ବର୍ଷ ହେବ ଶାସନରେ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଯାହା କେବେ ଆକଳନ କରି ନଥିଲେ ତାହାର ସାକ୍ଷୀ ହୋଇଛନ୍ତି। ଏକ ବ୍ୟଙ୍ଗାତ୍ମକ ସଂଗଠନରୁ ରାଜନୀତିକ ଚାପଗୋଷ୍ଠୀରେ ପରିଣତ ହୋଇଥିବା ଯୁବଗୋଷ୍ଠୀଙ୍କ ହୁଙ୍କାର ଦେଖି ଭୟଭୀତ ହୋଇଛି ଏବଂ ସଂଜତ ବି ହୋଇଛି। କିନ୍ତୁ ଏହି ସଂଜମତା ଯୁବାବର୍ଗଙ୍କୁ ନିଜର କରିବା ବଦଳରେ ଆହୁରି ବିପରୀତ କରାଇଛି।
ପୁଣି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଏହି ଯୁବାଗୋଷ୍ଠୀଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ସମର୍ଥନ ରାଜନୀତିକ ଅଙ୍ଗ ଗଣିତକୁ ବଦଳାଇଛି। ରାହୁଲଙ୍କୁ ମିଳୁଥିବା ଶକ୍ତି ଏବଂ ସେ ଯେଉଁଭଳି ଭାବେ ତାହାକୁ ପ୍ରହାର କରୁଛନ୍ତି ତାହାଦ୍ୱାରା ମୋଦୀ ସରକାରଙ୍କ ଦ୍ୱାରା ହେଉଥିବା ପ୍ରତିଟି ଗୋଟି ଚାଳନା ବିଫଳ ହୋଇଯାଉଛି। ମୌସୁମୀ ଅଧିବେଶନରେ ସଂସଦ କେବଳ ତାରିଖ ଅନୁସାରେ ସିନା ଚାଲିଥିଲା କିନ୍ତୁ କିଛି ଆଲୋଚନା ହୋଇପାରି ନଥିଲା। ଏପରିକି ଯେଉଁ କିଛି ବିଧେୟକକୁ ସରକାର ଆଣିବାକୁ ଚାହିଁଥିଲେ ତାହାକୁ ଆଣି ପାରି ନଥିଲେ। ଦେଶର ହାଓ୍ୱା ବଦଳୁଥିବା ଦେଖି ଅଧିବେଶନକୁ ମଧ୍ୟ ବାରମ୍ବାର ମୁଲତବୀ କରାଯାଇଥିଲା। ହେଲେ ରାଷ୍ଟ୍ରପତିଙ୍କଦ୍ୱାରା ସତ୍ରାବସାନର ବିଜ୍ଞପ୍ତି ଜାରି ହୋଇପାରିଲା ନାହିଁ। ଏଯାଏ ସାମ୍ବିଧାନିକ ଭାବେ ଦେଖିଲେ ମୌସୁମୀ ଅଧିବେଶନ ଜାରି ରହିଛି, ‘ଅପରେସନ୍ ସିନ୍ଦୁର’ ପରି…।
ଗଣମାଧ୍ୟମ ଏବଂ ବିଭିନ୍ନ ରାଜନୀତିକ ଦଳର ବୟାନ ଓ ଚର୍ଚ୍ଚାକୁ ନଜରରେ ଦେଖିଲେ ଏହି ଅଧିବେଶନରେ ସୀମା ପୁନନିର୍ଦ୍ଧାରଣ, ମହିଳା ଆରକ୍ଷଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଧେୟକକୁ ସରକାର ଆଣିବାକୁ ଚାହିଁଛନ୍ତି। ଯଦି ଏବେ ଏହା ନହୋଇପାରେ ତାହାକୁ ସରକାରଙ୍କ ବିଫଳତା ବୋଲି ୨୦୨୯ରେ ଗ୍ରହଣ କରାଯିବାର ଆଶଙ୍କା ରହିଛି। ଏଣୁ ଏ ବିଧେୟକକୁ ନ ଆଣିବା ଲାଗି କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଯେପରି ଅଣ୍ଟା ଭିଡ଼ିଛନ୍ତି, ସେଥିରେ ବଳ ଗୋଟାଇବାରେ ବିଜେପି ସମର୍ଥ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ବିଜେପିର ଏକ ଦେଶ- ଏକ ନିର୍ବାଚନ ଭଳି ଗୁରୁତ୍ୱପୂର୍ଣ୍ଣ ବିଧେୟକ ମଧ୍ୟ ପାଣିରେ ମିଳେଇ ଯିବା ଭଳି ଦେଖାଯାଉଛି। ଏବେ ଶୀତ ଅଧିବେଶନ ସମୟ ଆସନ୍ନ ହୋଇଥିବା ବେଳେ ମୌସୁମୀ ଅଧିବେଶନକୁ ସରକାର ସତ୍ରାବସାନ କରି ନପାରିବା ନିହାତି ଭାବେ ସରକାରଙ୍କ ଲାଗି ଏକ ବିଫଳତା ବୋଲି ଚର୍ଚ୍ଚା ହେଉଛି।
ଅପରପକ୍ଷେ ସରକାର ବିରୋଧୀ ଦଳର ଆନ୍ଦୋଳନ ଶକ୍ତିକୁ ଭାଙ୍ଗିବା ଲାଗି ଉଦ୍ୟମ କରିବା ସ୍ୱଭାବିକ। ସିଜେପି ନେତାଙ୍କୁ ଜେଲ ଭିତରେ ଭର୍ତ୍ତି କରିବା ଏବଂ ସେମାନଙ୍କୁ ଜାମିନ ପ୍ରଦାନରେ ବିଳମ୍ବ କରିବା ଆଦି ଏହାର ଗୋଟିଏ ଗୋଟିଏ ଉଦାହରଣ। ପୁଣି ଦୀପାବଳି ବେଳେ ଦିଲ୍ଲୀକୁ ଅଚଳ ନ କରିବା ଲାଗି ସାଧାରଣ ଜନତା, ବ୍ୟବସାୟୀଙ୍କ ଆହ୍ୱାନରେ ସିଜେପିର ନିରନ୍ତର ଆନ୍ଦୋଳନ ସ୍ଥଗିତ ହେବା ସରକାରଙ୍କ ଏକ ସଫଳତା ହୋଇପାରେ। ହେଲେ କଂଗ୍ରେସକୁ ନ ରୋକି ପାରିବା ରାହୁଲଙ୍କ ଶକ୍ତି ପ୍ରଦର୍ଶନର ଅନ୍ୟତମ ମାର୍ଗ ଭାବେ ଗ୍ରହଣ କରାଯାଇପାରେ। ବ୍ୟବସାୟୀଙ୍କ ଚାପକୁ ରାହୁଲ ସିଧାସିଧା ପ୍ରତ୍ୟାଖ୍ୟାନ କରି ନଭେମ୍ବର ୧ ତାରିଖ ଦିନ ରାମଲୀଳା ମୈଦାନରେ ବିକ୍ଷୋଭ ଲାଗି ଆହ୍ୱାନ ଦେବା ନିଶ୍ଚିତ ଭାବେ ସରକାରଙ୍କ ଉପରେ ଏକ ବଡ଼ ଚାପ ପ୍ରୟୋଗ େବାଲି ବୁଝିବାକୁ ହେବ।
ଏହି ସମ୍ଭାବ୍ୟ ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ବିଜେପି ଆଗରେ ପ୍ରସଙ୍ଗ ନଥିଲା ତାହା ନୁହେଁ। ରାହୁଲ ଗାନ୍ଧିଙ୍କ ବିଦେଶ ଗସ୍ତ ଏବଂ ଗଡ଼ଗେଙ୍କ ବିବାଦୀୟ ବୟାନ ଏଥିଲାଗି ସୁଯୋଗ ସୃଷ୍ଟି କରିଥିଲା। ବିଜେପି ବି ଏହାକୁ ନେଇ ସୋଶାଲ୍ ମିଡିଆରେ ଅଭିଯାନ ଚଳାଇଥିଲା। ହେଲେ ସୋଶାଲ୍ ମିଡିଆରେ ସେତିକି ସମର୍ଥନ ମିଳିଲା ନାହିଁ ଯାହାକୁ ଭରସା କରାଯାଇପାରିବ। ସେଥିଲାଗି ଝଡ଼ ପୂର୍ବର ନୀରବତା ଭଳି ବିଜେପି ବି ଅପେକ୍ଷା କରିଛି ନଭେମ୍ବର ୧ ପରବର୍ତ୍ତୀ ସମୟକୁ।
ରାହୁଲଙ୍କ ଶକ୍ତି କେଉଁଠି?
ଗଲା କିଛି ବର୍ଷର ରାଜନୀତିକ ଇତିହାସକୁ ଲକ୍ଷ୍ୟ କଲେ ମୋଦୀଙ୍କ କ୍ଷମତା ଉତ୍ସଗୁଡ଼ିକ ଭିତରେ ହିନ୍ଦୁତ୍ୱ, ଦେଶରେ ରାଜନୀତିକ ଅସ୍ଥିତରତା, ଦୁର୍ବଳ କଂଗ୍ରେସ ଏବଂ ବିଶେଷକରି ରାହୁଲ ଗାନ୍ଧି ପ୍ରଭୃତିଙ୍କୁ ଗଣାଯାଏ। ସେଥିଲାଗି ରାହୁଲଙ୍କ ଆଚରଣ, ଉଚ୍ଚାରଣ ଏପରିକି ତାଙ୍କ ବ୍ୟକ୍ତିଗତ ଚରିତ୍ର ଚର୍ଚ୍ଚା କରିବାକୁ ମଧ୍ୟ ବିଜେପିର ସୋଶାଲ ମିଡିଆ ହ୍ୟାଣ୍ଡଲ ଭୁଲନ୍ତି ନାହିଁ। ଏବେ କିନ୍ତୁ ରାହୁଲ ଗାନ୍ଧି ଯେତେବେଳେ ପ୍ରତିବନ୍ଧକ ହୋଇ ଠିଆ ହୋଇଛନ୍ତି ସେତେବେଳେ ପ୍ରଶ୍ନ ଆସୁଛି ରାହୁଏ ଏତେ ଶକ୍ତି କେଉଁଠୁ ପାଇଲେ?
ତାଙ୍କ ପରିବାର ଅର୍ଥାତ୍ ଗାନ୍ଧି ପରିବାର ତାଙ୍କ ଶକ୍ତିର ପ୍ରମୁଖ କାରଣ ହୋଇପାରେ କିନ୍ତୁ ତାହା ଏକମାତ୍ର କାରଣ ନୁହେଁ। କିନ୍ତୁ ଲଗାତାର ଭାବେ ରାହୁଲ ଗାନ୍ଧି ଯେଉଁଭଳି ଭାବେ ମୋଦୀ ସରକାର ଏବଂ ସରକାରୀ ସ୍ତମ୍ଭଗୁଡ଼ିକ ଉପରେ ଯୁକ୍ତିଗତ ଆକ୍ରମଣ କରୁଛନ୍ତି ତାହା ଲୋକଶକ୍ତି ଜୁଟାଇବାରେ ତାଙ୍କୁ ସହାୟକ ହେଉଛି।
୧) ମୋଦୀଙ୍କ ଆଧିପତ୍ୟକୁ ଜବାବ:
ପ୍ରଥମତଃ ରାହୁଲଙ୍କ ମିଡିଆ କନ୍ଫରେନ୍ସ ଏବଂ ବୟାନ ମୋଦୀଙ୍କ ଆଧିପତ୍ୟକୁ କ୍ଷୁର୍ର୍ର କରୁଛି। ହିନ୍ଦୁତ୍ୱ ଆଜେଣ୍ଡାକୁ ସରକାର ସେତିକି ଧ୍ୟାନ ଦେଉ ନାହାନ୍ତି। ପୁଣି ଶୁଟ୍ ବୁଟ କି ସରକାର କହି ଯେଉଁ ଦେଶ ସାରା ସଚେତନତା ସୃଷ୍ଟି କଲେ ତାହା ଜନସାଧାରଣଙ୍କୁ ବେଶ ଆକର୍ଷିତ କରିଛି। ଏହି ସରକାର ସମୟରେ ଅମ୍ବାନୀ, ଅଦାନୀଙ୍କ ଭଳି ଶିଳ୍ପପତି ହିଁ ଅଧିକ ଲାଭବାନ ହେଉଛନ୍ତି ସାଧାରଣ ଜନତା ନୁହେଁ ତାହା ଏହି ସ୍ଲାଗାନରୁ ପ୍ରମାଣିତ ହୋଇଛି।
ଯଦିଓ ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ତଟଅପ, ପିଏଲଆଇ ଭଳି ଯୋଜନା ମାଧ୍ୟମରେ ସାଧାରଣ ଭାରତୀୟ ଶିଳ୍ପୋଦ୍ୟୋଗୀ ମଧ୍ୟ ସରକାରୀ ଯୋଜନା ଅନୁସାରେ ଲାଭବାନ ହେଉଛି କିନ୍ତୁ ତାହା ରାହୁଲଙ୍କ ଏହି ବୟାନକୁ ମାତ୍ ଦେବାରେ ସମର୍ଥ ହୋଇପାରୁ ନାହିଁ। ବିଜେପିର ସୋଶାଲ୍ ମିଡିଆ ଟିମ୍ ଏଥିରେ ଅସମର୍ଥ ରହୁଥିବା ଜଣାପଡ଼ୁଛି।
୨) ଜାତିଗତ ଜନଗଣନା
ପ୍ରଥମେ ଜାତିଗତ ଜନଗଣନାକୁ ପ୍ରତ୍ୟାଖ୍ୟାନ କରୁଥିବା ବିଜେପି ସରକାର ହଠାତ୍ ଏଥିପାଇଁ ରାଜି ହେବା ଏବଂ ସଂସଦରେ ଘୋଷଣା କରିବା ରାହୁଲ ଗାନ୍ଧିଙ୍କ ସଫଳ ବିରୋଧର ପ୍ରମାଣ ଦେଉଛି। ଏହାଦ୍ୱାରା ରାହୁଲ ଗାନ୍ଧିଙ୍କ ‘ଯାହାର ଯେତିକି ସଂଖ୍ୟା, ତା’ର ସେତିକି ଆଧିପତ୍ୟ’ ସ୍ଲୋଗାନ ପ୍ରଭାବଶାଳୀ ହୋଇପାରେ।
୩) ବେରୋଜଗାରୀ, ମୁଦ୍ରାସ୍ଫୀତି, ଦରଦାମ ବୃଦ୍ଧି
ରାହୁଲଙ୍କୁ ଶକ୍ତି ଯୋଗାଉଥିବା ତୃତୀୟ କାରକ ହେଉଛି ଦେଶରେ ବେରୋଜଗାରୀ ଓ ଦରଦାମ ବୃଦ୍ଧି। ଦେଶର ଅର୍ଥନୀତି ଠିକ୍ ରାସ୍ତାରେ ଚାଲିଛି ବୋଲି ଯେତେ କହିଲେ ବି ବିରୋଧୀଙ୍କ ନ୍ୟାରେଟିଭ୍ ଆଗରେ ତାହା ଫେଲ ମାରୁଛି। କୋଉଠି ନା କୋଉଠି ମୋଦୀ ସରକାରଙ୍କ ‘୧୨ ବର୍ଷର ତପସ୍ୟାକୁ ଶୁଖୁଆ ପୋଡ଼ା’ରେ ନଷ୍ଟ କରିଦେବା ଭଳି ଏକ ଶକ୍ତ ନ୍ୟାରେଟିଭ୍ ବିରୋଧୀଙ୍କ କ୍ୟାମ୍ପରୁ ଆସୁଛି। ସରକାରୀ ଦଳ ପକ୍ଷରୁ ଏହାକୁ ବିଦେଶୀ ପ୍ରାୟୋଜିତ ବୋଲି ଅଭିଯୋଗ କରାଗଲେ ମଧ୍ୟ ତାହା କାମ ଦେଉ ନାହିଁ।
୪)ବିଦେଶ ନୀତିକୁ ସମାଲୋଚନା
ଦେଶର ବୈଦେଶିକ ନୀତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାର ଦେଶ ବିଦେଶରେ ଚର୍ଚ୍ଚିତ ହେଉଥିବା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏହାକୁ ସମାଲୋଚନା କରିଛନ୍ତି। ଏପରିକି ବୈଦେଶିକ ଚାପରେ ସରକାର ଚେପା ହୋଇଥିବା ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କୁ ‘କମ୍ପ୍ରୋମାଇଜ୍ଡ ପିଏମ’ ବୋଲି ଉଲ୍ଲେଖ କରିଛନ୍ତି। ଏହି ସମାଲୋଚନା ବି ରାହୁଲଙ୍କୁ ଶକ୍ତି ଦେଉଛି। ଦେଶରେ ବିତରୋଧୀ ଶକ୍ତିଙ୍କୁ ଏକାଠି କରିପାରୁଛି।
୫) ଇଣ୍ଡିଆ ବ୍ଲକ ଏବଂ ସଂସଦରେ ୱାକଆଉଟ:
ଏହି ଶକ୍ତିରେ ଅନ୍ୟ ବିରୋଧୀ ଦଳ ବି ପ୍ରଭାବିତ ହୋଇଛନ୍ତି। ଯେତେ ଫାଟ ଥିଲେ ବି ଦେଶର ବିଭିନ୍ନ ନେତା ଗୋଟିଏ ମଞ୍ଚରେ ଏକାଠି ହେଉଛନ୍ତି ଏବଂ ସଂସଦ ଭିତରେ ଗୋଟିଏ ଭୂମିକା ନିର୍ବାହ କରୁଛନ୍ତି। କୌଣସି ବିଧେୟକକୁ ଆଲୋଚନା ପୂର୍ବରୁ ବି ବାଜ୍ୟାପ୍ତି କରିବାକୁ ଦାବି କରୁଛନ୍ତି। ଏକାଠି ଓ୍ୱାକ୍ ଆଉଟ ବା କକ୍ଷ ତ୍ୟାଗ କରି ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଏହା ଇଣ୍ଡିଆ ବ୍ଲକର ୟୁନିଟିକୁ ଦର୍ଶାଉଛି।
ଶେଷରେ ଏବେ ଜାରି ରହିଥିବା ଆନ୍ଦୋଳନ ଯାହା ସରକାରଙ୍କ ବିଭିନ୍ନ ସାମ୍ବିଧାନିକ ଅନୁଷ୍ଠାନକୁ ଆକ୍ରମଣ ସହ ଯୋଡ଼ା ଯାଉଛି। ଦେଶର ଗଣତନ୍ତ୍ରକୁ କ୍ଷୁର୍ଣ୍ଣ କରିବା ପାଇଁ ଏପରି ପ୍ରୟାସ ହେଉଥିବା କୁହାଯାଉଥିଲେ ମଧ୍ୟ ଏହି ଆନ୍ଦୋଳନର ବଢ଼ୁଥିବା ଲୋକପ୍ରିୟତା ସରକାରଙ୍କୁ ସଂଜତ ହେବାକୁ ବାଧ୍ୟ କରୁଛି। ନିର୍ବାଚନ କମିଶନ, ନ୍ୟାୟ ବ୍ୟବସ୍ଥା, ତଦନ୍ତକାରୀ ଏଜେନ୍ସୀ ଉପରେ ଚାପ ପଡ଼ିବା ଗଣତନ୍ତ୍ରର ଅବକ୍ଷୟ ସହ ସମାନ। କିନ୍ତୁ ଏ ପ୍ରକ୍ରିୟାରେ କିଏ ଏ ଚାପ ସୃଷ୍ଟି କରୁଛି ତାହା ଲୋକ ଜାଣିବା ଦରକାର, ଯାହାଦ୍ୱାରା ଲୋକଙ୍କ ପାଖରେ ଥିବା ଶକ୍ତି ବ୍ୟବହାର ହୋଇ ଗଣତନ୍ତ୍ର ପୁଣିଥରେ ସକ୍ରିୟ ଓ ସୁଦୂରପ୍ରସାରୀ ହୋଇପାରିବ।






