ଆମ ରାଜ୍ୟ ଓ ଆମର ପଡ଼ୋଶୀ ରାଜ୍ୟମାନଙ୍କରେ ଶରଦ୍କାଳୀନ ଦୁର୍ଗାପୂଜାକୁ ଏକ ବଡ଼ ପର୍ବ ଭାବେ ପାଳନ କରାଯାଏ। ଏହି ସମୟରେ ବିଭିନ୍ନ ସ୍ଥାନରେ ମୃଣ୍ମୟୀ ମୂର୍ତ୍ତି ସ୍ଥାପନା କରିବା ତାଙ୍କୁ ୧୬ ଦିନର ମାତୃପକ୍ଷରେ ପୂଜାର୍ଚ୍ଚାନା କରିବା ଏବଂ ପରେ ଶୋଭାଯାତ୍ରା ଘେନି ତାହାଙ୍କୁ ବିସର୍ଜନ କରିବାଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। କିଏ କହେ ଏହା ସାମ୍ପ୍ରଦାୟିକ ସଦ୍ଭାବନାର ଏକ ବିଶେଷ ପର୍ବ ଆଉ କିଏ କହେ ଏହା ପରମ୍ପରା ଓ ସ୍ଥାନୀୟ କାରିଗରୀକୁ ପ୍ରୋତ୍ସାହିତ କରୁଥିବା ଏକ ଉତ୍ସବ। ପୁଣି କିଏ କହେ ଏହା ହେଉଛି ଦୁଷ୍ଟ ନିବାରଣ କରିପାରୁଥିବା ଅଜୟ ମାତୃଶକ୍ତି ଆରାଧନାର ପର୍ବ। ଏହି ଭାବଧାରାରେ ପୁରୀର ଗୋସାଣୀଯାତ ଅନ୍ୟତମ ହୋଇଥିଲେ ବି ପାଳନ କଠୋରତା ଏବଂ ପରମ୍ପରାକୁ ଧରି ରଖିବାର ନିଷ୍ଠା ଅନ୍ୟମାନଙ୍କଠାରୁ ଏହାକୁ ନିଆରା କରିଥାଏ।
ଭକ୍ତି, ଉତ୍ସାହ ଓ ସାମ୍ପ୍ରଦାୟିକ ସହଯୋଗରେ ପାଳନ ହେଉଥିବା ଦୁର୍ଗା ଉତ୍ସବ ପୁରୀରେ ଏକ ଭିନ୍ନ ଆକର୍ଷଣ ଓ ପରମ୍ପରାକୁ ପ୍ରତିଫଳିତ କରେ। ଯାହା ରାଜ୍ୟରେ ଶୈବ-ଶକ୍ତି-ବୈଷ୍ଣବଙ୍କ ଭିତରେ ସମନ୍ୱୟ ସ୍ଥାପନାର କାହାଣୀକୁ ମନେ ପକାଇଦିଏ। ମାଦଳା ପାଞ୍ଜିର ହିସାବ ଅନୁସାରେ ଏହି ପର୍ବ ଗଙ୍ଗବଂଶୀୟ ରାଜାଙ୍କଦ୍ୱାରା ଆରମ୍ଭ କରାଯାଇଥିଲା। ଆପଣମାନେ ଜାଣନ୍ତି ଓଡ଼ିଶାରେ ଏହି ବଂଶର ପ୍ରତିଷ୍ଠାତା ଚୋଡ଼ଗଙ୍ଗ ଦେବ ଜଣେ ମହା ଶୈବ ଉପାସକ ଥିଲେ। ନିଜକୁ ପରମ ଶୈବ ବୋଲି କହୁଥିଲେ। କିନ୍ତୁ ପୁରୀକୁ ଆସିବା ପରେ ସେ ପରମ ବୈଷ୍ଣବରେ ପରିଣତ ହୋଇଥିଲେ। ହେଲେ ତାଙ୍କ ଶାସନର ପ୍ରତିଟି କୋଣରେ ଶୈବପନ୍ଥୀ, ବୈଷ୍ଣବ ପନ୍ଥୀ ଓ ଶକ୍ତି ପନ୍ଥୀଙ୍କ ସମନ୍ୱୟ ଦେଖିବାକୁ ମିଳୁଥିଲା। ସେଥିଲାଗି ବୈଷ୍ଣବ ଉପାସନର ପ୍ରାଣକେନ୍ଦ୍ର ଥିବା ପୁରୀ ଶ୍ରୀମନ୍ଦିରରେ ସେ ସବୁ ସମ୍ପ୍ରଦାୟଙ୍କୁ ଶ୍ରୀ ଜଗନ୍ନାଥଙ୍କ ସହ ଯୋଡ଼ିଥିଲେ। ଖାଲି ସେତିକି ନୁହେଁ, ପୁରୀର ପ୍ରତିଟି ମନ୍ଦିର, ପରମ୍ପରା, ଆରାଧନାକୁ ସେ କୌଣସି ନା କୌଣସି ରୂପରେ ଶ୍ରୀମନ୍ଦିର ସହ ଯୋଡ଼ି ସାମାଜିକ ଐକ୍ୟତା ପ୍ରଦର୍ଶନ କରିଥିଲେ। ସେଥିଲାଗି ରାଜ୍ୟରେ ବିଭିନ୍ନ ପନ୍ଥ ଭିତରେ ସାମ୍ୟ ସୃଷ୍ଟି ହୋଇପାରିଥିଲା ଏବଂ ପୁରୀ ବିଶ୍ୱସ୍ତରୀୟ ବୈଷ୍ଣବ କେନ୍ଦ୍ରର ମାନ୍ୟତା ପାଇଥିଲା। ଚୋଡ଼ଗଙ୍ଗ ଦେବଙ୍କ ଏହି ଉଦ୍ୟମ ଏତେ ଗଭୀର ଥିଲା ଯେ, ତାହା ପିଢ଼ି ପରେ ପିଢ଼ି ନିରନ୍ତର ଭାବେ ସେମିତି ଜାରି ରହି ଆଜି ଅନ୍ୟମାନଙ୍କ ଆଗରେ ଆକର୍ଷଣୀୟ ଉଦାହରଣମାନ ସ୍ଥାପନ କରିଛି। ଏହି ପର୍ଯ୍ୟାୟରେ ପୁରୀର ‘ଗୋସାଣୀ’ ଯାତ୍ରା ଉଲ୍ଲେଖନୀୟ।
ଦେଶର ବିଭିନ୍ନ ସ୍ଥାନରେ ଦୁର୍ଗା ଉତ୍ସବ, ମେଢ଼ ସ୍ଥାପନ, ଶକ୍ତି ଆରାଧନା ହେଉଥିଲେ ବି କେବଳ ପୁରୀରେ ହିଁ ଗୋସାଣୀ ଯାତ୍ରା ଅନୁଷ୍ଠିତ ହୋଇପାରେ। ଏହାର ଅନେକ କାରଣ ରହିଛି। ସେ ଭିତରେ ଗୋଟିଏ ହେଉଛି ଆମମାନଙ୍କର ଆସ୍ଥା ଓ ବିଶ୍ୱାସ। କୁହାଯାଏ ଯେତେବଳେ ମା’ ଦୁର୍ଗା ମହିଷାସୁରକୁ ବଧ କରିଥିଲେ ସେଥିରେ ମା’ଙ୍କୁ ଅନେକ ଚଣ୍ଡୀ ଚାମଣ୍ଡା ସହାୟକ ହୋଇଥିଲେ। ଏହି ଚଣ୍ଡି ଚାମଣ୍ଡାମାନେ ହେଉଛନ୍ତି ଗୋସାଣୀ। ଆଉ ଯେତେବେଳେ ମହିଷାସୁରର ବଧ ହେଲା ସେମାନେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରକୁ ବେଷ୍ଟନ କରି ବିଭିନ୍ନ ସ୍ଥାନରେ ରହିଲେ ମନ୍ଦିରରର ସୁରକ୍ଷା ଲାଗି। ଯେତେବେଳେ ମାତୃପକ୍ଷ ପାଳନ କରାଯାଇ ମା’ଙ୍କୁ ଆରାଧନା କରାଯାଏ ସେତେବେଳେ ଶ୍ରୀକ୍ଷେତ୍ରର ଅଧିଷ୍ଟାତ୍ରୀ ଦେବୀ ମା’ ବିମଳାଙ୍କ ସହ ଏମାନଙ୍କୁ ବି ଆବହନ କରାଯାଏ, ବିଭିନ୍ନ ସାହିରେ, ଜାଗାରେ ଓ ଆଖଡ଼ାରେ…। ପ୍ରତିପଦାଠାରୁ ଏମାନଙ୍କୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ। ଦଶମୀ ତିଥି ଯାଏ ପୂଜାର୍ଚ୍ଚାର ବିଭିନ୍ନ ସମୟରେ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଏମାନଙ୍କ ପାଖକୁ ଭିନ୍ନ ଭିନ୍ନ ଭାବେ ଆଜ୍ଞାମାଳ ବା ପ୍ରସାଦ ପଠାଯାଇଥାଏ।
ଏହି ସମୟରେ ମୃଣ୍ମୟୀ ମୂର୍ତ୍ତି ସ୍ଥାପନା କରାଯାଇଥାଏ। ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ଅବସରରେ ବିଭିନ୍ନ ସାହିରେ ସ୍ଥାପନ ହୋଇଥିବା ଗୋସାଣୀ ମେଢ଼ଙ୍କୁ ସିଂହଦ୍ୱାର ସମ୍ମୁଖରେ ଏକାଠି କରାଯାଏ। ସେହି ରାତ୍ରୀରେ କିଛି ଘଣ୍ଟା ପାଇଁ ଏହି ଦେବ-ଦେବ ମେଳା ବା ଦେବ ସଭା ଅନେକଙ୍କୁ ଆକର୍ଷିତ କରେ; ଆଖିରେ ଲୁହ ଭରାଏ, ଆନନ୍ଦର ଚିନ୍ତନ ଦିଏ ଆଉ ମା’ଙ୍କୁ ବିଦାୟ ଦିଏ..।
ଏହି ପ୍ରକ୍ରିୟା ମାଧ୍ୟମରେ ପୁରୀର ବର୍ଷ ବର୍ଷ ପୁରୁଣା ପରମ୍ପରା ଜାଗ୍ରତ ହୋଇଥାଏ। ଘରେ ଘରେ ଚଣ୍ଡୀପାଠ, ଦେବୀ ପୀଠରେ ବଳି ପରମ୍ପରା, ମୃଣ୍ମୀୟ ମୂର୍ତ୍ତିଙ୍କୁ ସଜାଇବା ଲାଗି ଶୋଲ ଜରିର କାରୁକାର୍ଯ୍ୟ, ପାରମ୍ପରିକ ମୂର୍ତ୍ତି କାମ; ପ୍ରାକୃତିକ ରଙ୍ଗ, ଅଠାର ବ୍ୟବହାର; ପୁଣି ପୂର୍ବ ବର୍ଷ ପରି ଅବିକଳ ମୂର୍ତ୍ତି ନିର୍ମାଣରେ ନିଷ୍ଠା ଅନେକଙ୍କୁ ଆଚମ୍ବିତ କରେ। ଦୁନିଆର କୌଣସି କୋଣରେ ଏପରି ମୂର୍ତ୍ତିର ନିର୍ମାଣ ଦେଖିକୁ ମିଳେ ନାହିଁ, ଯାହା ପୁରୀରେ ହୋଇଥାଏ। ପୁଣି ପରମ୍ପରା ଅନୁସାରେ ଯେଉଁ ସାହିରେ ମେଢ଼ ହୋଇ ଆସୁଛି ତାହା କେବେ ବନ୍ଦ ହେବାର ନଜୀର ନାହିଁ। ହେଲେ ବର୍ଷକୁ ବର୍ଷ ନୂଆ ସାହି, କ୍ଲବ ବା ଜାଗା ଆଖଡ଼ା ଏହି ସମାବେଶରେ ସାମିଲ ହେବାରୁ ଏବେ ଏହି ସଂଖ୍ୟା ପ୍ରାୟ ୮୦ ପାଖାପାଖି ପହଞ୍ଚିଛି। ଏହା ମାଧ୍ୟମରେ ଭାଇଚାରା ସୁରକ୍ଷିତ ରହି ଆସିଛି।
ପାରମ୍ପରିକ ଭାବେ ପୁରୀର ଗୋସାଣୀ ଜାତରେ ବିଭିନ୍ନ ଜାଗା ଓ ସାହି ପକ୍ଷରୁ ମହିଷା ମର୍ଦ୍ଦିନୀ ରୂପରେ ଦୁର୍ଗାଙ୍କୁ ଆବାହନ କରାଯାଏ। ହେଲେ ଆଉ କିଛି ସାହିରେ ନାଗା, ଦଶ ଶିରା ରାବଣ, ୧୧ ଫୁଟ ଡେଣାର ସମ୍ପାତ୍ତି ଚଢ଼େଇ, ହର ପାର୍ବତୀ, ବୁଢ଼ାବୁଢ଼ି ଆଦି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଆନ୍ତି। ସେମାନଙ୍କ ଭିତରେ କିଛି ପ୍ରମୁଖ ମେଢ଼ ଓ ନାଗା ବାବଦରେ ଉଲ୍ଲେଖ କରାଯାଇପାରେ।
ମା’ କାକୁଡ଼ିଖାଈ
ପୁରୀ ଶ୍ରୀମନ୍ଦିର ପାର୍ଶ୍ୱରେ ଥିବା ଏମାର ମଠ କାନ୍ଥ କଡ଼ରେ ସବୁଦିନ ପୂଜିତ ହୁଅନ୍ତି ମା’ କାକୁଡ଼ିଖାଈ। ଏଠାରେ ଷୋଳପୂଜା ଆରମ୍ଭ ପୂର୍ବରୁ ନିର୍ମାଣ ହୁଏ ମୃଣ୍ମୟୀ ମୂର୍ତ୍ତି। ହଳଦୀମୁଖୀ, ଅଷ୍ଟଭୂଜା ମା’ ମହିଷାମର୍ଦ୍ଦିନୀରୂପେ ଶୋଭା ପାଆନ୍ତି। ତାଙ୍କ ତ୍ରିଶୂଳ ମହିଷାର ବକ୍ଷକୁ ଛୁଇଁଥାଏ। ଅଧା ମଣିଷ ଅଧା ପଶୁ ସଦୃଶ ଏହି ରାକ୍ଷସର କାନ୍ଧ ଉପରେ ମା’ ଦଣ୍ଡାୟମାନ ଥାଆନ୍ତି। ଆଉ ଗୋଟିଏ ଗୋଡ଼ ମା’ଙ୍କର ସିଂହ ଉପରେ ଥାଏ। ସିଂହଟି ମହିଷାକୁ ଆକ୍ରମଣ ମୂଦ୍ରାରେ ଦେଖିବାକୁ ମିଳେ। ଏହାଙ୍କୁ ସହରର ବିଭିନ୍ନ ସ୍ଥାନରେ ବସୁଥିବା ଗୋସାଣୀଙ୍କ ମା’ ଭାବେ ପୂଜା କରାଯାଏ। ପୁଣି ଏହାଙ୍କ ବିସର୍ଜନ ଗୋଟିଏ ଦିନ ଆଗରୁ ଅର୍ଥାତ୍ ଦଶମୀ ତିଥିରେ ହୋଇଥାଏ।
ତାଙ୍କ ନାଁ କାକୁଡ଼ି ଖାଈ କାହିଁକି ବୋଲି ପଚାରିଲେ ଲୋକକଥା ଛଡ଼ା କୌଣସି ବୈଜ୍ଞାନିକ କାରଣ ସାମ୍ନାକୁ ଆସେ ନାହିଁ। ଲୋକଙ୍କ ମୁଖରେ ମା’ ହେଉଛନ୍ତି ଦୁଃଖୀ, ଗରିବ ସମସ୍ତଙ୍କ ପାଇଁ ଆରାଧନା, ଶ୍ରଦ୍ଧା ଓ ସ୍ନେହର ପ୍ରତୀକ। ସେ କୌଣସି ଦାମିକିଆ ଖାଦ୍ୟ ପଦାର୍ଥରେ ଖୁସି ହୁଅନ୍ତି ନାହିଁ ବରଂ ଭକ୍ତର ଶ୍ରଦ୍ଧାରେ ଅର୍ପିତ କାକୁଡ଼ିରେ ଖୁସି ହୋଇଥାନ୍ତି। ଦିନେ ଅନେକ ଫଳ ଓ ଖାଦ୍ୟ ତାଙ୍କୁ ଅର୍ପଣ କରାଯାଇ ପରମ୍ପରା ଅନୁସାରେ ଦ୍ୱାର ବନ୍ଦ କରାଯାଇଥିଲା। ଯେତେବେଳେ ଦ୍ୱାର ଖୋଲିଲା ସେତେବେଳେ ମା’ଙ୍କ ପୂଜା ଥାଳିରେ ଥିବା କାକୁଡ଼ିର କିଛି ଅଂଶ ହିଁ ଗ୍ରହଣ ହୋଇଥିବା ଦେଖିବାକୁ ମିଳିଲା। ସୋହିଦିନଠାରୁ ତାଙ୍କୁ କାକୁଡ଼ିଖାଈ ଭାବେ ପୂଜା କରାଯାଉଛି।
ମା’ ବାରବାଟି
ହରଚଣ୍ଡୀ ସାହିର ବାରବାଟି ଜାଗାରେ ପୂଜିତ ହୁଅନ୍ତି ମା’ ବାରବାଟୀ। ଶାାରଦୀୟ ଋତୁରେ ତାଙ୍କର ମେଢ଼ କାର୍ଯ୍ୟ କରାଯାଇ ମୂର୍ତ୍ତିତିଆରି ହୁଏ। ଏଥିଲାଗି ପ୍ରାୟ ୨ରୁ ଅଢ଼େଇ ମାସ ସମୟ ଲାଗେ। ମା’ଙ୍କ ମୂର୍ତ୍ତି ଅତ୍ୟନ୍ତ ବିଶାଳ। ୨୦ରୁ ୨୨ଫୁଟ ଉଚ୍ଚ। ମହିଷା ଉପରେ ମା’ ବିରାଜମାନ କରିଥାନ୍ତି। ଅଷ୍ଟଭୂଜା ମା’ ବାରବାଟୀଙ୍କ ଗୋଟିଏ ପାଦ ମହିଷାର କାନ୍ଧରେ ଏବଂ ଆଉ ଗୋଟିଏ ସିଂହ ଉପରେ ଥାଏ। ମା’ଙ୍କ ତ୍ରିଶୂଳର ପ୍ରହାର ଏହି ମହିଷା ଉପରେ ଦେଖିବାକୁ ମିଳେ। ମଇଁଷି ମୁହଁ ଧାରଣ କରିଥିବା ମହିଷାସୂର ବୋଧ ହୁଏ ପୁରୀ ବ୍ୟତିରେକ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ। ମା’ଙ୍କ ପୂଜା ସପ୍ତମୀରୁ ଆରମ୍ଭ ହୁଏ। ଆମିଷ ଭୋଗ ହୁଏ। ଏକାଦଶୀ ତିଥିରେ ଏହି ବିଶାଳ ମୂର୍ତ୍ତିକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଏ।
ଜହ୍ନି ଖାଇ
ଦୋବସଭାରେ ନିଜର କମନୀୟ କାରୁକାର୍ଯ୍ୟ ଓ ମନୋଲୋଭା ସୌନ୍ଦର୍ଯ୍ୟରେ ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି ମା’ ଜହ୍ନି ଖାଇ। ଦୋଳ ମଣ୍ଡପ ସାହିରେ ମା’ଙ୍କୁ ପୂଜା କରାଯାଇଥାଏ। ମା’ ହେଉଛନ୍ତି ବୈଷ୍ଣବୀ। ଅର୍ଥାତ୍ ତାଙ୍କ ପାଖରେ ଆମିଷ ବଳି ପଡ଼େ ନାହିଁ। ବରଂ ଏହାର ପ୍ରତିବଦଳରେ ଜହ୍ନି ଭୋଗ ହୋଇଥାଏ। ଏଠାରେ ମା’ ଜହ୍ନିଖାଇ ଅଧା ମାନବ ଓ ଅଧା ମଇଁଷି ରୂପୀ ରାକ୍ଷାସକୁ ବଧ କରିଥାନ୍ତି। ଶୋଲ ଜରି କାର୍ଯ୍ୟ ହୋଇଥାଏ।
ଦୋଳମଣ୍ଡପ ସାହିର କରାତି ଗଳିରେ ପୂଜା ପାଆନ୍ତି ମା’ ହରଚଣ୍ଡୀ। ଦେବୀଙ୍କ ଡାହାଣ ପାଦ ସିଂହର ପିଠି ଉପରେ ରହିଥିବା ବେଳେ ବାମ ପାଦ ମହିଷାସୁରର ବାମ କାନ୍ଧ ଉପରେ ସ୍ଥାପିତ ହୋଇଛି। ଏହି ‘ଗୋସାଣୀ‘ ଦେବୀଙ୍କ ବଳି ତାଲିକାରେ ଗୋଟା ପୋଡ଼ା ମାଛ ରହିଛି, ବିସର୍ଜନ ପୂର୍ବରୁ ଭୋଗ ସ୍ୱରୂପ ପାଣିକଖାରୁ ମଧ୍ୟ ବଳି ଦିଆଯାଏ।
ଶୂନ୍ୟ ‘ଗୋସାଣୀ’
ଶୂନ୍ୟ ‘ଗୋସାଣୀ’ ମାଟିମଣ୍ଡପ ସାହିରେ ପୂଜା ପାଆନ୍ତି। ଏହି ‘ଗୋସାଣୀ’ ମୂର୍ତ୍ତିର ଗଠନ ଶୈଳୀ ଏପରି ଯେ ଏହା ବାୟୁରେ ଭାସୁଥିବା ପରି ଦେଖାଯାଏ। ଦେବୀ ନିଜର ଆଠଟି ହାତ ବ୍ୟବହାର କରି ‘ଶଙ୍ଖ’, ‘ଚକ୍ର’, ‘ଧନୁ’, ‘ତୀର’, ‘ତ୍ରିଶୂଳ’, ‘ଢାଲ’, ‘ଖଣ୍ଡା’ ଏବଂ ଗୋଟିଏ ହାତରେ ଅସୁରର ପାଟିକୁ ଧରିଛନ୍ତି। ଏଠାକାର ରୀତିନୀତି ଅନୁଯାୟୀ ଭୋଗ ସ୍ୱରୂପ ପାଣିକଖାରୁ ବଳି ଦିଆଯାଏ। ଏହି ‘ଗୋସାଣୀ’ଙ୍କ ଉଚ୍ଚତା ପ୍ରାୟ ୧୨ ଫୁଟ୍, ଯାହା ଏକମାତ୍ର ସ୍ତମ୍ଭ ଉପରେ ଠିଆ ହୋଇ ଆଶ୍ଚର୍ଯ୍ୟଜନକ ଦେଖାଯାଏ।
ମାଟିମଣ୍ଡପ ସାହିର ଭୋଗଜାଗାଠାରେ ‘ଗୋସାଣୀ’ ନିର୍ମାଣ ହୋଇଥାଏ। ଏହି ମୂର୍ତ୍ତିର ଉଚ୍ଚତା ପ୍ରାୟ ୧୨ ଫୁଟ୍। ଏହି ‘ଗୋସାଣୀ’ଙ୍କ ମୂର୍ତ୍ତି ଗଠନ ପ୍ରକ୍ରିୟା ‘ରାଧାଷ୍ଟମୀ’ରୁ ଆରମ୍ଭ ହୋଇ ‘ଆଶ୍ୱିନ ଶୁକ୍ଳ ଷଷ୍ଠୀ ତିଥି’ରେ ଶେଷ ହୁଏ। ଏଠାରେ ଗୋସାଣୀଙ୍କୁ ପୋଡ଼ା ମାଛ ବଳି ଅର୍ପଣ କରାଯାଏ।
ବନଦୁର୍ଗା ଏବଂ ଗେଲାବାଈ
ମଣିକର୍ଣ୍ଣିକା ସାହିରେ ବନଦୁର୍ଗା ‘ଗୋସାଣୀ‘ ପୂଜା ପାଆନ୍ତି। ବୈଷ୍ଣବୀ ଦେବୀ ଭାବରେ ଜଣାଶୁଣା ଏହି ‘ଗୋସାଣୀ‘ଙ୍କର ଚାରୋଟି ମାହୁ ରହିଛି। ଦେବୀଙ୍କ ନିକଟରେ ଏକ ମୟୂର ସ୍ଥାପନ କରାଯାଇଛି ଏବଂ ଭଗବାନ ବିଷ୍ଣୁ ତାଙ୍କ ପାଦରୁ କଣ୍ଟା କାଢୁଥିବାର ଦେଖାଯାଏ। କେହି କେହି ତାଙ୍କୁ କଣ୍ଟା କଢ଼ା ଗୋସାଣୀ ବୋଲି ବି କହନ୍ତି। ଏହି ସାହିରେ ‘ଗେଲାବାଈ’ ବି ପୂଜା ହୁଅନ୍ତି। ଗେଲବାଈ ‘ଗୋସାଣୀ‘ ମୂର୍ତ୍ତିର ଉଚ୍ଚତା ୧୦ ଫୁଟ୍ ହେବ। ‘ଦଶମୀ’ ଦିନ ଦେବୀଙ୍କ ସମ୍ମୁଖରେ କାକୁଡ଼ି ବଳି ଦିଆଯାଏ।
ମହାତେଶ୍ୱରୀ ‘ଗୋସାଣୀ’ ଏବଂ ଚାମୁଣ୍ଡାମୁଣ୍ଡି ‘ଗୋସାଣୀ’
ହରଚଣ୍ଡୀ ସାହିରେ ଦୁଇଜଣ ‘ଗୋସାଣୀ‘ ଦେବୀ ଅଛନ୍ତି। ଜଣଙ୍କୁ ‘ମହାତେଶ୍ୱରୀ ଗୋସାଣୀ’ ଏବଂ ଅନ୍ୟ ଜଣଙ୍କୁ ‘ଚାମୁଣ୍ଡାମୁଣ୍ଡି ଗୋସାଣୀ’ କୁହାଯାଏ। ‘ସୁନିଆ ତିଥି’ରେ ମହାତେଶ୍ୱରୀ ‘ଗୋସାଣୀ‘ଙ୍କ ମୂର୍ତ୍ତି ଗଠନ ପ୍ରକ୍ରିୟା ଆରମ୍ଭ ହୁଏ ଏବଂ ‘ଭସାଣି‘ ପୂର୍ବରୁ ଦେବୀଙ୍କ ସମ୍ମୁଖରେ କାକୁଡ଼ି ବଳି ଦିଆଯାଏ। ଚାମୁଣ୍ଡାମୁଣ୍ଡି ‘ଗୋସାଣୀ‘ଙ୍କ ନିକଟରେ ପାର୍ବତୀ, ଗଣେଶ ଏବଂ କାର୍ତ୍ତିକେୟଙ୍କ ମୂର୍ତ୍ତି ରହିଛି। ଏହି ଦେବୀଙ୍କ ପାଇଁ ପାଣିକଖାରୁ ବଳି ଦିଆଯାଏ।
ଏହାଙ୍କ ବ୍ୟତୀତ ପୁରୀର ସାହି ସଂସ୍କୃତିରେ ଅନେକ ଗୋସାଣୀଙ୍କୁ ପୂଜା କରାଯାଇଥାଏ। ଏସମସ୍ତ ଗୋସାଣୀ ମୂର୍ତ୍ତିର ନିର୍ମାଣ ସାଧାରଣତଃ କଟକ ବା କଲିକତାଠାରୁ ଭିନ୍ନ। ଏଠାରେ ମୂର୍ତ୍ତି ମହିଷାଙ୍କୁ ଦେଖୁଥିବା ଏବଂ ମହିଷାର ଉର୍ଦ୍ଧ୍ୱମୁଖ ନଜରକୁ ଆସେ। ମା’ଙ୍କ ଆଖି ବଡ଼ବଡ଼ ଓ ଟଣାଟଣା ପଲକ ଅଙ୍କିତ ହୋଇଥାଏ। ମାଙ୍କ ବର୍ଣ୍ଣ ହଳଦୀ ରଙ୍ଗର ହୋଇଥିବା ବେଳେ ମହିଷାସୂରକୁ ନୀଳ, ସାଗୁଆ ଆଦି ରଙ୍ଗରେ ରଙ୍ଗାଯାଇଥାଏ।
ଏକାଦଶୀ ତିଥିର ଦେବସଭାରେ ଗୋସାଣୀଙ୍କ ସହ ନାଗା ମୂର୍ତ୍ତିଙ୍କୁ ଏକାଠି କରାଯାଏ। ବିଶାଳ ବଳିଷ୍ଠ ପୁରୁଷ ମୂର୍ତ୍ତି। ଶିବ ମନ୍ତ୍ରରେ ଏମାନଙ୍କୁ ପୂଜା କରାଯାଇଥାଏ କିନ୍ତୁ ଏମାନେ ମାହାଦେବଙ୍କ ଅଂଶ ନୁହନ୍ତି। ନାଗାମୂର୍ତ୍ତି ବିଭିନ୍ନ ଜାଗା ଆଖଡ଼ାର ବଳ ବା ଶକ୍ତିକୁ ପ୍ରଦର୍ଶନ କରିଥାଏ। ବାଲିସାହିରୁ ଏହି ସଂସ୍କୃତି ଆରମ୍ଭ ହୋଇଥିଲା। କାଳକ୍ରମରେ ଏହା ଅନ୍ୟ ସାହିକୁ ମଧ୍ୟ ବିସ୍ତୃତ ହୋଇଛି। ବାଲିସାହି, ହରଚଣ୍ଡୀ ସାହି, ଦୋଳମଣ୍ଡପ ସାହି, ବଳଗଣ୍ଡୀ ପ୍ରଭୃତି ଅଞ୍ଚଳରୁ ନାଗା ମୂର୍ତ୍ତି ଓ ମେଢ଼ ଆସିଥାଏ। ପୁରୀରେ ସାହିଜାତ ସମୟରେ ମଧ୍ୟ ନାଗା ନୃତ୍ୟ ପ୍ରଦର୍ଶନ କରାଯାଏ। ବୀର ବାଦ୍ୟରେ ସାହିର ଉତ୍ସାହି ଯୁବକମାନଙ୍କୁ ନାଗା ବେଶରେ ସଜ୍ଜିତ କରାଯାଇ ଏହି ନୃତ୍ୟକୁ ଆକର୍ଷଣୀୟ କରାଯାଇଥାଏ।
ଏହି ଅନନ୍ୟ ସାଂସ୍କୃତିକ ପରିବେଶ ପୁରୀକୁ ଅନ୍ୟମାନଙ୍କଠୁ ଭିନ୍ନ କରାଏ। ଆଧୁନିକତାର ଛାପରେ ଯେ ସଂସ୍କୃତି ହଜେ ନାହିଁ ତାହାକୁ ଏହା ପ୍ରମାଣିତ କରେ। ଖାଲି ସେତିକି ନୁହେଁ, ଗୋସାଣୀ ଯାତରେ ସାମାଜିକ ବାର୍ତ୍ତା ପ୍ରସାର କରି ଯୁବକମାନେ ସମାଜକୁ ସଚେତନ କରିବାକୁ ଚେଷ୍ଟା କରିଥାଆନ୍ତି। ସେଥିପାଇଁ ଏ ଯାତ୍ରା ନିରନ୍ତର ଗତିରେ ଆଗକୁ ବଢ଼ି ଚାଲିଛି; ଉତ୍କଳୀୟ କାରିଗରି, ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେଉଛି।






