Tuesday, October 6, 2026
spot_imgspot_img

Top 5 This Week

spot_img

Related Posts

ଅସହାୟ ମୁଖ୍ୟମନ୍ତ୍ରୀ!: ମନ୍ତ୍ରୀଙ୍କୁ ଘେରିଲେଣି ଦଳୀୟ ସାଂସଦ

ଗଣମାଧ୍ୟମରେ ଅତ୍ୟନ୍ତ ଆକ୍ଟିଭ ଥିବା ରାଜ୍ୟ ନିର୍ମାଣ ମନ୍ତ୍ରୀ ଆଉ ନିଜ ଦଳର ନେତାଙ୍କର ବି ଭରସା ଯୋଗ୍ୟ ମଣିଷ ହୋଇ ରହି ନାହାନ୍ତି। ଯେଉଁ ବିଭାଗ ସେ ଚଳାଉଛନ୍ତି ସେ ବିଭାଗରେ ତାଙ୍କ ଦଳର ସାଂସଦମାନଙ୍କ କଥା ରହୁ ନଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଆର୍ଥିକ ଅନିୟମିତତାବି ହେଉଥିବା ଅଭିଯୋଗ ହୋଇଛି। ତଥାପି ଏ ବାବଦରେ ଚୁପ ରହିଛନ୍ତି ମୋହନ ମାଝିଙ୍କ ସରକାର। ଯାହା ମୁଖ୍ୟମନ୍ତ୍ରୀଙ୍କ ଅସହାୟତାକୁ ପ୍ରମାଣିତ କରୁଛି।

ଅରବିନ୍ଦ ମହାପାତ୍ର


ଆଜି ଆମେ ଯେଉଁ ପ୍ରସଙ୍ଗ ବିଷୟରେ କଥା ହେବା, ତାହାକୁ ରାଜ୍ୟର ୩ ପ୍ରମୁଖ ସାଂସଦ ଉଠାଇଛନ୍ତି। ତାଙ୍କର ଉଦବେଗ ହେଲା ତାଙ୍କ ସରକାର ଆସିବାର ତିନିବର୍ଷ ହେବାକୁ ଯାଉଛି କିନ୍ତୁ ସେମାନେ ଉପସ୍ଥାପନ କରିଥିବା ଦାବି ପୂରଣ ହୋଇପାରୁ ନାହିଁ। ଭୋଟ ପାଖେଇ ଆସୁଥିବା ବେଳେ ସାଧାରଣ ଲୋକଙ୍କ ବହୁ ପ୍ରତୀକ୍ଷିତ ରାସ୍ତାର କାମ ହୋଇପାରୁ ନାହିଁ। ଅର୍ଥାତ୍‍ ସେମାନେ ସିଧାସଳଖ ରାଜ୍ୟ ନିର୍ମାଣ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବିଭାଗର ଅପାରଗତାକୁ ମୁଖ୍ୟମନ୍ତ୍ରୀଙ୍କସାମ୍ନାକୁ ଆଣିଛନ୍ତି, ଗଣମାଧ୍ୟମରେ ଏହା ହରିନ୍ଦନଙ୍କୁ ଅପଦସ୍ତ କରାଇଛି।
ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓଡ଼ିଶା ସରକାରଙ୍କ ନିର୍ମାଣ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କୁ ଏହି ପତ୍ର ଲେଖିଛନ୍ତି।ଚିଠିରେ ନବରଙ୍ଗପୁର ବାଇପାସ୍ ନିର୍ମାଣରେ ହୋଇଥିବା ଅତ୍ୟଧିକ ବିଳମ୍ବକୁ ନେଇ ସେ ପ୍ରକାଶ କରିଛନ୍ତି। ଏହି ଚିଠି ଅନୁସାରେ, ୨ ଡିସେମ୍ବର ୨୦୨୪ରେ ଏହି ପ୍ରକଳ୍ପର ଟେଣ୍ଡର ହୋଇଥିଲା। ୨୪ ମାସ ମଧ୍ୟରେ କାମ ଶେଷ ହେବାର ସମୟସୀମା ରହିଥିଲା। ଏ ଭିତରେ ୨୧ ମାସ ବିତିଥିଲେ ମଧ୍ୟ କାମ ଆଗଉ ନାହିଁ।
ସେହିପରି, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ କଣ ଅଭିଯୋଗ ଆଣିଛନ୍ତି | ବ୍ରହ୍ମପୁରର ଗେଟ୍ ବଜାର ଫ୍ଲାଏଓଭର ନିର୍ମାଣକୁ ନେଇ ସାଂସଦ ଚିଠିରେ ଏକାଧିକ ଅଭିଯୋଗ ଉଠାଇଛନ୍ତି। ଚିଠିରେ ନିର୍ମାଣରେ ବ୍ୟବହୃତ କଞ୍ଚାମାଲର ଗୁଣବତ୍ତାକୁ ନେଇ ସନ୍ଦେହ ପ୍ରକାଶ କରାଯାଇଛି। ପ୍ରକଳ୍ପ କାମରେ ବିଳମ୍ବ ହେଉଥିବା ଦର୍ଶାଯାଇଛି। ପୂର୍ବରୁ ଏ ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଇ ନାହିଁ ବୋଲି ସାଂସଦ କହିଛନ୍ତି। ତେଣୁ ନିର୍ମାଣ ସାମଗ୍ରୀର ଗୁଣବତ୍ତା, ଷ୍ଟ୍ରକଚରାଲ୍ ଡିଜାଇନ୍ ଓ ସୁରକ୍ଷା ମାନଦଣ୍ଡର ସ୍ୱାଧୀନ ଟେକ୍ନିକାଲ୍ ଅଡିଟ୍ କରିବାକୁ ସାଂସଦ ଦାବି କରିଛନ୍ତି।
ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ମଧ୍‍ୟ ସମାନ ଅଭିଯୋଗ କରିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସାଂସଦ ପତ୍ନୀଙ୍କ ଚିଠି ପଢ଼ିଲେ ଆପଣ ନିଶ୍ଚିତ ନିରାଶ ହେବେ। ଭାବିବେ ଯେ ଏତେ ବଡ଼ ପଦବୀରେ ସ୍ୱାମୀ-ସ୍ତ୍ରୀ ରହିଥିଲେ ବି ତାଙ୍କ କଥା ନିର୍ମାଣ ବିଭାଗ ଶୁଣୁ ନାହିଁ। ସେ ସମ୍ବଲପୁର–ସୋନପୁର ରାସ୍ତା ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଏଜେନ୍ସି ପରିବର୍ତ୍ତନ ପାଇଁ ନିର୍ମାଣ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କୁହାଯାଇଛି, ସୁବର୍ଣ୍ଣପୁର ଜିଲ୍ଲାର ୭୪ କିଲୋମିଟର ରାସ୍ତାକୁ ୨-ଲେନ୍‌ରୁ ୪-ଲେନ୍‌ କରିବା ପାଇଁ ୬୮୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ହୋଇଛି। ୨୦୨୪ ଜୁଲାଇ ୩୧ରେ ଏହି କାମର ଦାୟିତ୍ୱ ଓବିସିସିକୁ ଦିଆଯାଇଥିଲା। ହେଲେ ଦୀର୍ଘ ସମୟ ବିତିଥିଲେ ମଧ୍ୟ କାମର ସେମିତି କୌଣସି ଅଗ୍ରଗତି ଦୃଶ୍ୟମାନ ହୋଇ ନାହି। ତେଣୁ ଏହି କାମର ଦାୟିତ୍ୱ ସୋନପୁର ନିର୍ମାଣ ଡିଭିଜନକୁ ଦେବାକୁ ସାଂସଦ ଅନୁରୋଧ କରିଛନ୍ତି।
ଆପଣଙ୍କ ମନେଥିବ, ବିକଶିତ ଓଡ଼ିଶାର ସ୍ୱପ୍ନ, ୨୦୩୬ ଓ ୨୦୪୭ର ଭିଜନ୍‌କୁ ନେଇ ସରକାରଙ୍କ ଏବେ ଯେଉଁ ଜୋରଦାର ପ୍ରସ୍ତୁତି ଚାଲିଛି ସେଥିରେ ପୂର୍ତ୍ତ ବିଭାଗ ମଧ୍ୟ ଆଗ ଧାଡିରେ ରହିଛି। ପୂର୍ତ୍ତ ମନ୍ତ୍ରୀଙ୍କ ନେତୃତ୍ୱରେ ଘନ ଘନ ସମୀକ୍ଷା ବୈଠକ ହେଉଛି, ସଚିବ ଓ ବିଭାଗୀୟ ଅଧିକାରୀମାନେ ବସି ପ୍ରକଳ୍ପର ସ୍ଥିତି ସମୀକ୍ଷା କରୁଛନ୍ତି। କିନ୍ତୁ ସାଂସଦ ମାନଙ୍କ ଚିଠି ଦେଖିଲା ପରେ ପ୍ରଶ୍ନ ଉଠୁଛି ଏହି ସମୀକ୍ଷା କାହା ପାଇଁ କରୁଛନ୍ତି ମନ୍ତ୍ରୀ ଓ ସଚିବ ? ଯଦି ଜିଲ୍ଲା ମାନଙ୍କରେ ନିର୍ମାଣ କାମ ର ବିଳମ୍ବ ହେଉଛି, ବର୍ଷବର୍ଷ ଧରି କାମ ପଡି ରହୁଛି, ନିମ୍ନ ମାନନର କାମ ହେଉଛି ଆଉ ଅନୁମତି ମିଳିସାରିବା ପରେ ବି ନିର୍ମାଣ କାମ ଆରମ୍ଭ ହେଉନାହିଁ ତେବେ ମନ୍ତ୍ରୀ ଓ ସଚିବ କି ସମୀକ୍ଷା କରୁଛନ୍ତି ?
ପୂର୍ତ୍ତ ବିଭାଗର ଏଭଳି ଖାମଖିଆଲି ଭାବନା ଆଜିର ନୁହେଁ। ଏ ସନ୍ଦର୍ଭରେ ଆଉ ଏକ ପ୍ରସଙ୍ଗ ଏଠାରେ ସ୍ମରଣୀୟ। ୩ ମେ ୨୦୨୫। କଟକ ଖାନନଗରରେ ନିର୍ମାଣାଧୀନ ପୋଲରେ କଂକ୍ରିଟ ସ୍ଲାବ ଖସି ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ସାଇଟ ଇଞ୍ଜିନିୟର ମଧ୍ୟ ଥିଲେ। ଘଟଣା ପରେ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ। କିନ୍ତୁ ଏହି ରିପୋର୍ଟକୁ ନିର୍ମାଣ ବିଭାଗର କିଛି ଅଧିକାରୀ ଫାଇଲ ତଳେ ଚାପି ଦେଇବାରୁ ତାହା ଲୋକଲୋଚନକୁ ଆସିପାରିଲା ନାହିଁ। ଏକ ନିର୍ଦ୍ଧାରିତ ଠିକାଦାରୀ ସଂସ୍ଥା ପ୍ରତି ମନ୍ତ୍ରୀଙ୍କ ଦରଦ ଏଭଳି ଅପରିଣାମଦର୍ଶୀ ବିଳମ୍ବତା ପାଇଁ ଦାୟୀ େବାଲି ଅଭିଯୋଗ ହେଉଛି।
ଏବେ ଆସନ୍ତୁ ଆଉ ଗୋଟିଏ ସମ୍ବେଦନଶୀଳ ପ୍ରସଙ୍ଗକୁ ଯିବା । ପ୍ରସଙ୍ଗଟି ଯନ୍ତ୍ରୀକୃତ ଆସ୍ଫାଲାଟ ବିଛାକୁ କେନ୍ଦ୍ର କରିଛି। ଅଭିଯୋଗ ଅନୁସାରେ, ପ୍ରଥମେ ଟେଣ୍ଡରଆହ୍ୱାନ କରି ପ୍ରକଳ୍ପର ଖର୍ଚ୍ଚ ଆକଳନକୁ ଅସ୍ୱାଭାବିକ ଭାବେ ବଢ଼ାଯାଇଥିଲା। ବିଶେଷକରି ଭୁବନେଶ୍ୱରରେ ମେକାନାଇଜ୍ଡ ମାଷ୍ଟିକ୍ କୁ ବିଛାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ କାର୍ଯ୍ୟ ଦିଆଯାଇଥିଲା। ଆଉ ଯେତେବେଳେ ଜଣାପଡିଲା ଯେ ପ୍ରକଳ୍ପର ଖର୍ଚ୍ଚ ଆକଳନ , ନିର୍ଦ୍ଧାରିତ ଦର ତାଲିକା ତୁଳନାରେ ପ୍ରାୟ ଦ୍ୱିଗୁଣ ଅଧିକ ସେତେବେଳେ ବିଭାଗୀୟ ଯାଞ୍ଚ ଏବଂ ସନ୍ଦେହ ସୃଷ୍ଟି ହୋଇଥିଲା। ଆଉ ଏହା ପରେ ହଠାତ୍ ମୂଳ ମଞ୍ଜୁରୀ ରାଶିର ୫୦ ପ୍ରତିଶତ କମାଇ ଦିଆଗଲା। ଯାହାକୁ ଦେଖି ରୂପାୟନ ପାଇଁ ଚୁକ୍ତିବଦ୍ଧ ସଂସ୍ଥା ପ୍ରକଳ୍ପ ବନ୍ଦ କରିବା ପାଇଁ ଅନୁରୋଧ କଲେ | ଏଥିରେ ସେଣ୍ଟାଲ ସର୍କଲ ଚିଫ ନିର୍ମାଣ ଯନ୍ତ୍ରୀଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି | ନିର୍ମାଣ ବିଭାଗ କୋଡ଼ ଅନୁସାରେ ଏଜେନସିକୁ ଅଗ୍ରୀମ ପ୍ରକଳ୍ପର ଓହରିବାକୁ ହେଲେ ୨୦ ପ୍ରତିଶତ ଅର୍ଥ ଦେବାକୁ ହୋଇଥାଏ। କିନ୍ତୁ ସରକାରଙ୍କ ତାହାବିଲକୁ ପେନାଲଟି ବାବଦକୁ ଯେଉଁ ଅର୍ଥ ରାଶି ଅସିଥାନ୍ତା , ଅଧିକାରୀ ଜଣକ ତାହା ଏଜେନ୍ସୀକୁ ଛାଡ କରିଦେଇଛନ୍ତି। ଏହି ଚିଫ୍ କନଷ୍ଟ୍ରକ୍ସନ୍ ଇଞ୍ଜିନିୟର, ସେଣ୍ଟ୍ରାଲ୍ ସର୍କଲ୍‌ର ଅଧିକାରୀଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅର୍ଥ ଅନିୟମିତତା ନେଇ ଅଭିଯୋଗ ରହିଛି ।
ଖୋଦ୍ ରାଜଧାନୀରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାରେ ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ପକ୍ଷରୁ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କୁ ବଦଳି କରାଯାଇଥିବା ବେଳେ କିଛି ବିଭାଗୀୟ ଅଧିକାରୀଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି। ତେବେ ଏତିକିରେ ଘଟଣାକୁ ନେଇ ତଦନ୍ତ ସୀମିତ ରହିବା ନେଇ ମଧ୍ୟ ପ୍ରଶ୍ନ ଉଠୁଛି। କାରଣ ଏହି ଅର୍ଥ ଅନିୟମିତତା ପଛରେ କେବଳ ତଳସ୍ତରର ଅଧିକାରୀ ନୁହେଁ, ବଡ଼ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଚର୍ଚ୍ଚା ହେଉଛି। ଏଣୁ ଉଚ୍ଚସ୍ତରୀୟ ତଦନ୍ତ ଏହାକୁ ପ୍ରସ୍ଫୁଟିତ କରିପାରେ।

LEAVE A REPLY

Please enter your comment!
Please enter your name here

Popular Articles