Tuesday, September 1, 2026
spot_imgspot_img

Top 5 This Week

spot_img

Related Posts

ତୀର୍ଯ୍ୟକ ନଜର: ନିବାସ ଭିତରେ ନବୀନ….

ଓଡ଼ିଶା ପୁଣି ଏକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି। ରାଜ୍ୟର କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଚାଷଜମି କ୍ଷତିଗ୍ରସ୍ତ, ଅନେକ ଲୋକଙ୍କ ଘରଦ୍ୱାର ପାଣିଘେରରେ, ଯାତାୟାତ ବାଧାପ୍ରାପ୍ତ। ବନ୍ୟା ବିପନ୍ନଙ୍କ ପାଇଁ ଏହା ଏକ କଠିନ ସମୟ।
ଏଭଳି ସମୟରେ ସରକାରୀ ବ୍ୟବସ୍ଥା ତା’ର କାମ କରିବା ସ୍ୱାଭାବିକ। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଶାସକ ଦଳର ବିଧାୟକମାନେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି, ରିଲିଫ୍ ବଣ୍ଟନ ଓ ପ୍ରଶାସନିକ ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି। ବିରୋଧୀ ଦଳର କିଛି ନେତା ମଧ୍ୟ ନିଜ ନିଜ ସ୍ତରରେ ବନ୍ୟାଞ୍ଚଳକୁ ଯାଇ ଲୋକଙ୍କ ସମସ୍ୟା ବୁଝୁଛନ୍ତି।
କିନ୍ତୁ ଏହି ସମସ୍ତ ଘଟଣା ମଧ୍ୟରେ ଗୋଟିଏ ପ୍ରଶ୍ନ ସ୍ୱାଭାବିକ ଭାବେ ଉଠୁଛି— ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳର ସଭାପତି ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବେ କେଉଁଠି ?
ବାତ୍ୟା, ବନ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟ ସମୟରେ ମଧ୍ୟ ଯେଉଁ ନବୀନଙ୍କ ନେତୃତ୍ୱ ଓ ତାଙ୍କ ସରକାରର ବିପର୍ଯ୍ୟୟ ପରିଚାଳନା ଓଡ଼ିଶା ରାଜନୀତିର ଏକ ପରିଚିତ ଅଧ୍ୟାୟ ହୋଇ ରହିଛି। ତେଣୁ ଆଜି ସେ କ୍ଷମତାରେ ନଥିଲେ ମଧ୍ୟ, ବିରୋଧୀ ଦଳ ନେତା ଭାବେ ଲୋକଙ୍କ ଆଶା ତାଙ୍କ ପାଖରେ ରହିବା ସ୍ୱାଭାବିକ। ମାତ୍ର ଲୋକଙ୍କ ପାଖରେ ନବୀନ ପଟ୍ଟନାୟକ ନପହଂଚିବାର କାରଣ କ’ଣ ? ଏଭଳି ଏକ ପରିସ୍ଥିତିରେ ଏପର୍ଯ୍ୟନ୍ତ ରାଜ୍ୟର ବିରୋଧୀ ଦଳ ନେତା ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ନାହାଁନ୍ତି, ମାତ୍ର ଲୋକଙ୍କ ପାଇଁ କରିଛନ୍ତି କ’ଣ ? ଏହି ବନ୍ୟା ପରିସ୍ଥିତିରେ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଯାହା ସାମ୍ନାକୁ ଆସିଛି, ତାହାକୁ ମୁଖ୍ୟତଃ ଏଭଳି ଦେଖାଯାଇପାରେ । ନିଜେ ବନ୍ୟା ପ୍ରଭାବିତ ଅଞ୍ଚଳକୁଯାଇନାହାନ୍ତି,ସୋସିଆଲ ମିଡ଼ିଆରେ ନିଜକୁ ସୀମିତ ରଖିଛନ୍ତି,ଦଳର ତିନି ନେତାଙ୍କୁ ବନ୍ୟାଞ୍ଚଳ ପରିଦର୍ଶନ କରି ରିପୋର୍ଟ ଦେବାକୁ କହିଛନ୍ତି, ଅର୍ଥାତ୍ ନିଜେ ଯିବା ପରିବର୍ତ୍ତେ ଦଳୀୟ ସ୍ତରରେ ପରିସ୍ଥିତି ଅନୁଧ୍ୟାନର ବ୍ୟବସ୍ଥା କରିଛନ୍ତି ବିରୋଧୀ ଦଳ ନେତା।
ବିରୋଧୀ ଦଳ ଭାବେ ସରକାରଙ୍କ ରିଲିଫ୍ ବ୍ୟବସ୍ଥାକୁ ମଧ୍ୟ ତଦାରଖ କରିପାରି ନାହାଁନ୍ତି।
ରାଜ୍ୟର ମୁଖ୍ୟ ବିରୋଧୀ ଦଳ ନେତା ଭାବେ ନିଜେ ବନ୍ୟା ବିପନ୍ନଙ୍କ ସହ ସାକ୍ଷାତ୍ କରିବାର ଚିତ୍ର ଯେତେବେଳେ ଲୋକଙ୍କ ସାମ୍ନାକୁ ଆସିନାହିଁ, ଆସିଛି କ’ଣ ? ନିଜ ଦଳର ଡିଜିଟାଲ ଆର୍ମି ଦ୍ୱାରା ବିଗତ ୨୦ ବର୍ଷ ପୂର୍ବର ବନ୍ୟା ଅଞ୍ଚଳ ପରିଦର୍ଶନର ଫଟୋ ଭାଇରାଲ କରିବାର ନଜରକୁ ଆସିଛି। ନିଜେ ଘରୁ ନବାହାରି, ଲୋକଙ୍କୁ ନଭେଟି, ଏଭଳି କାର୍ଯ୍ୟ କରିବା ଦ୍ୱାରା ପରୋକ୍ଷରେ ବନ୍ୟା ପ୍ରଭାବିତ ଲୋକଙ୍କୁ ତାତ୍ସଲ୍ୟ କରିବା ସହ ସମାନ ନୁହେଁ କି ?ଏଠାରେ ଏକ ମୌଳିକ ପ୍ରଶ୍ନ ଉଠେ— ବିରୋଧୀ ଦଳ ନେତାଙ୍କ ଦାୟିତ୍ୱ କେବଳ ନିର୍ଦ୍ଦେଶ ଜାରି କରିବାରେ ସୀମିତ ରହିବ କି? ନା ବିପଦ ସମୟରେ ଲୋକଙ୍କ ପାଖରେ ନିଜେ ଠିଆ ହେବା ମଧ୍ୟ ତାଙ୍କ ନୈତିକ ଓ ରାଜନୈତିକ ଦାୟିତ୍ୱ? ତେବେଏଠାରେ ପ୍ରଶ୍ନ ଉଠୁଛି ନବୀନ ପଟ୍ଟନାୟକଙ୍କ ପାଇଁ ବୟସ କ’ଣ ପ୍ରତିବନ୍ଧକ ସାଜିଛି କି ? ନବୀନ ପଟ୍ଟନାୟକଙ୍କ ବୟସ ଓ ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। କିନ୍ତୁ କେବଳ ବୟସକୁ ଆଧାର କରି ଲୋକଙ୍କ ପାଖକୁ ଯିବାର ଆବଶ୍ୟକତାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇପାରିବ କି?
ଭାରତୀୟ ରାଜନୀତିରେ ଏମିତି ଅନେକ ଉଦାହରଣ ରହିଛି, ଯେଉଁଠି ବୟସ୍କ ନେତାମାନେ ନିଜ ଶାରୀରିକ ସୀମାବଦ୍ଧତା ସତ୍ତ୍ୱେ ବିପଦ ସମୟରେ ଲୋକଙ୍କ ପାଖରେ ପହଞ୍ଚିଛନ୍ତି।
ସେମାନଙ୍କ ମଧ୍ୟରେ କେରଳର ଜଣେ ଲୋକପ୍ରିୟ ନେତା ଥିଲେ ଭି. ଏସ୍. ଅଚ୍ୟୁତାନନ୍ଦନ । ପରିଣତ ବୟସରେ ମଧ୍ୟ, ଲୋକଙ୍କ ସହ ସମ୍ପର୍କ ଯୋଡ଼ିବା ଥିଲା ତାଙ୍କର ବଡ଼ ଲକ୍ଷ୍ୟ ।କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି. ଏସ୍. ଅଚ୍ୟୁତାନନ୍ଦନଙ୍କ ଉଦାହରଣ ଏଠାରେ ଉଲ୍ଲେଖଯୋଗ୍ୟ କାରଣ।
ସେ ୮୮ ବର୍ଷ ବୟସରେ ମଧ୍ୟ କେରଳ-ତାମିଲନାଡୁ ସୀମାନ୍ତରେ ଚାଲିଥିବା ଆନ୍ଦୋଳନକାରୀଙ୍କୁ ଭେଟିବା ପାଇଁ ଯାଇଥିଲେ। କେବଳ ସେତିକି ନୁହେଁ, ପୁଣି ୯୪ ବର୍ଷ ବୟସରେ ମଧ୍ୟ କେରଳ ସାମ୍ନା କରିଥିବା ଏକ ସାଇକ୍ଲୋନ ପରେ ତୁରନ୍ତ ପ୍ରଭାବିତ ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କୁ ଭେଟିବା ପାଇଁ ସେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହାର ଅର୍ଥ ନୁହେଁ ଯେ ପ୍ରତ୍ୟେକ ନେତା ୯୦ ବର୍ଷ ବୟସରେ ମଧ୍ୟ ବିପଦସଙ୍କୁଳ ଅଞ୍ଚଳକୁ ଯିବାକୁ ବାଧ୍ୟ। କିନ୍ତୁ ଏହା ନିଶ୍ଚିତ ଯେ ନେତୃତ୍ୱର ମାପଦଣ୍ଡ କେବଳ ବୟସ ନୁହେଁ; ବିପଦ ସମୟରେ ଲୋକଙ୍କ ସହ ଠିଆ ହେବାର ଇଚ୍ଛା ମଧ୍ୟ ଏକ ବଡ଼ ମାପଦଣ୍ଡ।
ସେହିପରି ଆଉ ଜଣେ ନେତା ଥିଲେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧି ,୯୧ ବର୍ଷ ବୟସରେ ମଧ୍ୟ ଏହି ନେତା ଚେନ୍ନାଇ ସାମ୍ନା କରିଥିବା ଏକ ବନ୍ୟା ପରିସ୍ଥିତି ବାବଦରେ ଅବଗତ ହେବା ପାଇଁ ବନ୍ୟାଞ୍ଚଳରେ ନିଜେ ଯାଇ ପହଞ୍ଚିଥିଲେ । ତାମିଲନାଡୁର ପ୍ରବୀଣ ରାଜନେତା ଏମ୍. କରୁଣାନିଧିଙ୍କ ଉଦାହରଣ ମଧ୍ୟ ଅନ୍ୟ ନେତା ମାନଙ୍କ ପାଇଁ ବେଶ ପ୍ରେରଣାଦାୟୀ ।
ଲୋକଙ୍କ ସମସ୍ୟାକୁ କେବଳ ଏମାନେ ରାଜନୈତିକ ବୟାନବାଜିରେ ସୀମିତ ନରଖି, ସରକାର ଓ ପ୍ରଶାସନକୁ ଲୋକଙ୍କ ପାଖରେ ଉତ୍ତରଦାୟୀ କରୁଥିଲେ । ଏହି ଘଟଣାରୁ ଗୋଟିଏ କଥା ଅତ୍ୟନ୍ତ ସ୍ପଷ୍ଟ ଯେ, ଲୋକଙ୍କ ଦୁଃଖ ସମୟରେ ନେତାଙ୍କ ଉପସ୍ଥିତିର ରାଜନୈତିକ ଓ ମାନସିକ ପ୍ରଭାବ ବହୁତ ବଡ଼।
ସେହିପରି ଆଉ ଏକ ଉଦାହରଣ ମଧ୍ୟ ଏଇ ନିକଟରେ ନଜରକୁ ଆସିଛି ଜାତୀୟ ଗଣମାଧ୍ୟମରୁ । ଆସାମରେ ଏବେ କିଛିଦିନ ପୂର୍ବରୁ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ବେଳେ ବିରୋଧୀ ଦଳ କଂଗ୍ରେସର ଜଣେ ନେତା ଦେବବ୍ରତ ସାଇକିଆଙ୍କ ଭୂମିକା ମଧ୍ୟ ମନେ ରହିବା ଭଳି।
ସେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଏକ କାଳୀନ ପାଖାପାଖି ଦୀର୍ଘ ୧୫ ଦିନ ଧରି ବୁଲିବା ସହ ଲୋକଙ୍କ ଅଭିଯୋଗ ଶୁଣିଥିଲେ, ସେମାନଙ୍କ ସମସ୍ୟା ବୁଝିଥିଲେ ଏବଂ ସରକାରୀ ରିଲିଫ୍ ବଣ୍ଟନ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ।
ଏହା ହିଁ ହେଉଛି ବିରୋଧୀ ଦଳର ଏକ ମୌଳିକ ଭୂମିକା, ସରକାରଙ୍କୁ କେବଳ ସମାଲୋଚନା କରିବା ନୁହେଁ, ବରଂ ପ୍ରାକୃତିକ ଦୁର୍ବିପାକ ସମୟରେ ଲୋକଙ୍କ ପାଖରେ ପହଂଚି,ସମସ୍ୟା ବୁଝିବା ଓ ସରକାରୀ ବ୍ୟବସ୍ଥା ଠିକ୍ ଭାବେ କାମ କରୁଛି କି ନାହିଁ, ତାହା ଉପରେ ନଜରରେ ରଖିବା ଓ ପ୍ରଭାବିତ ଲୋକଙ୍କ ନିକଟରେ ରିଲିଫ ସାମଗ୍ରୀ ପହଞ୍ଚାଇବା ।
ଏବେ ଆଉ ଏକ ଦିଗ ସମ୍ପର୍କରେ ଆଲୋଚନା କରାଯାଇପାରେ, ତାହା ହେଉଛି କାହିଁକି ଓଡ଼ିଶାର ଜନ ସାଧାରଣ ନବୀନ ପଟ୍ଟନାୟକଙ୍କ ବାବଦରେ ଏବେ ବି ଆଲୋଚନା କରୁଛନ୍ତି ।
ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ଅନେକ କାରଣରୁ ମନେ ରଖିବ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ ଶାସନ ବ୍ୟବସ୍ଥା, ତାଙ୍କର ରାଜନୀତି କରିବାର ଶୈଳୀ, ସଫଳ ବିପର୍ଯ୍ୟୟ ପରିଚାଳନା, ପ୍ରଶାସନିକ ନିଷ୍ପତ୍ତି ଏବଂ ଦୀର୍ଘ ସମୟ ଧରି ପାଇଥିବା ନିର୍ବାଚନୀ ସଫଳତା ଆଦି ତାଙ୍କୁ ଓଡ଼ିଶା ରାଜନୀତିର ଏକ ଅଲଗା ସ୍ଥାନ ଦେଇଛି ସତ, ମାତ୍ର ସେ କ୍ଷମତାରୁ ଯିବା ପରେ ଲୋକଙ୍କ ଠାରୁ ଦୂରେଇ ରହିବା, ଲୋକଙ୍କ ବିପଦ ସମୟରେ ତାଙ୍କ ପାଖରେ ନପହଂଚିବାର ଘଟଣା ଏବେ ତାଙ୍କ ରାଜନୈତିକ ଚରିତ୍ରର ବ୍ୟତିକ୍ରମ ଭାବେ ସାମ୍ନାକୁ ଆସିଛି। ୨୦୨୪ ନିର୍ବାଚନ ପରେ ବିରୋଧୀ ଦଳ ନେତା ଭାବରେ ନବୀନ ପଟ୍ଟନାୟକ ମାତ୍ର ଦୁଇଥର ଲୋକଙ୍କ ପାଖରେ ପହଞ୍ଚିଛନ୍ତି। ଏକ ଅଦିନିଆ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ ନିଜ ଜିଲ୍ଲାକୁ ଥରେ ଓ ଅନ୍ୟ ଏକ ଜିଲ୍ଲାକୁ ଯିବାର ନଜିର ରହିଛି। ଏବେ ଭାବନ୍ତୁ ତ କାହିଁକି ନବୀନଙ୍କୁ ଓଡ଼ିଶାର ଲୋକେ ମନେ ରଖିବେ ? ଏହା କେବଳ ତାଙ୍କର ୨୪ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ ପାଇଁ କି ? କିନ୍ତୁ ଭବିଷ୍ୟତରେ ଲୋକେ ତାଙ୍କୁ କେଉଁ ଭାବରେ ମନେ ରଖିବେ, ତାହା ତାଙ୍କର ଶେଷ ରାଜନୈତିକ ପର୍ଯ୍ୟାୟର ଭୂମିକା ଉପରେ ମଧ୍ୟ ଅନେକ ନିର୍ଭର କରିପାରେ। ଯଦି ଆମେ ନବୀନ ପଟ୍ଟନାୟକଙ୍କୁ ଅନ୍ୟ ରାଜ୍ୟର ଲୋକପ୍ରିୟ ନେତା ଯଥା
କେରଳର ଅଚ୍ୟୁତାନନ୍ଦନ, ତାମିଲନାଡୁର କରୁଣାନିଧି ଆଦିଙ୍କ ସହ ଟିକେ ତୁଳନା କରିବା ତେବେ ଏମାନଙ୍କ ବୟସ, ଅସୁସ୍ଥତା ଏମାନଙ୍କୁ ନିଜ ରାଜ୍ୟର ଲୋକଙ୍କ ଠାରୁ କେବେ ଦୂରେଇ ପାରି ନାହିଁ, ବରଂ ଲୋକଙ୍କ ବିପଦ ସମୟରେ ସେମାନଙ୍କ ପାଖରେ ଏହି ବୟସ୍କ ରାଜନେତା ମାନେ ସବୁବେଳେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି, ମାତ୍ର ନବୀନ ପଟ୍ଟନାୟକ କ୍ଷମତାରୁ ଚାଲିଯିବା ପରେ ନିଜକୁ ଲୋକଙ୍କ ଠାରୁ ଦୂରେଇ ନେଇଛନ୍ତି ବୋଲି ଏକ ସ୍ପଷ୍ଟ ସଙ୍କେତ ମିଳୁଛି।
ନବୀନ ପଟ୍ଟନାୟକ, ଏହି ବନ୍ୟା ପରିସ୍ଥିତିରେ, ନିଜେ ବନ୍ୟାଞ୍ଚଳକୁ ଯିବା ପରିବର୍ତ୍ତେ ଦଳୀୟ ନେତାମାନଙ୍କୁ ପଠାଇ ରିପୋର୍ଟ ନେବାର ଯେଉଁ ପଦକ୍ଷେପ ନେଇଛନ୍ତି ଓ ନିଜକୁ ନବୀନ ନିବାସ ଭିତରେ ସୀମିତ ରଖି ସୋସିଆଲ ମିଡ଼ିଆର ସାହାଯ୍ୟରେ ଅସ୍ତିତ୍ବ ବଞ୍ଚାଇବାର ପ୍ରୟାସ ଆରମ୍ଭ କରିଛନ୍ତି, ତାହା ତାଙ୍କର ରାଜନୈତିକ ଚରିତ୍ରର ଆଉ ଏକ ଦିଗକୁ ଲୋକଙ୍କ ପାଖରେ ଉଜାଗର କରିଛି ।
ମୁଖ୍ୟମନ୍ତ୍ରୀ ଥିବା ସମୟରେ ଯେଉଁ ନବୀନ ପଟ୍ଟନାୟକ ବିପର୍ଯ୍ୟୟର ଆକଳନ ପାଇଁ ଆକାଶମାର୍ଗରୁ ପରିସ୍ଥିତି ଅନୁଧ୍ୟାନ କରୁଥିଲେ, ଆଜି ବିରୋଧୀ ଦଳ ନେତା ଭାବେ ତାଙ୍କର କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ଉପସ୍ଥିତିର ଆବଶ୍ୟକତା ଅଛି ବୋଲି ସେ କ’ଣ ବୁଝି ପାରୁ ନାହାଁନ୍ତି ? ତେବେ ଲୋକଙ୍କ ପାଖକୁ ନଯିବା ନିଷ୍ପତ୍ତି ତାଙ୍କର ନିଜର ନା ଆଉ କାହାର ଏହି ପ୍ରଶ୍ନର ଉତ୍ତର ଲୋକେ ଜାଣିବାକୁ ଚାହିଁବେ ନା ନାହିଁ ?
ରାଜନୀତିରେ ପଦ ସବୁଦିନ ରହେ ନାହିଁ। କ୍ଷମତା ଆସେ, ଯାଏ। କିନ୍ତୁ ବିପଦ ସମୟରେ କିଏ ଲୋକଙ୍କ ପାଖରେ ଥିଲେ, କିଏ ସେମାନଙ୍କ ଦୁଃଖ ଶୁଣିଥିଲେ, କିଏ ସେମାନଙ୍କ ହାତ ଧରିଥିଲେ— ଏହି ସ୍ମୃତି ଲୋକଙ୍କ ମନରେ ଦୀର୍ଘ ସମୟ ରହିଥାଏ।
ସେଥିପାଇଁ ଆଜିର ପ୍ରଶ୍ନ ନବୀନ ପଟ୍ଟନାୟକଙ୍କୁ ଛୋଟ କରିବା ପାଇଁ ନୁହେଁ। ପ୍ରଶ୍ନଟି ତାଙ୍କ ଭଳି ଜଣେ ଦୀର୍ଘ ଅଭିଜ୍ଞତା ସମ୍ପନ୍ନ ନେତାଙ୍କଠାରୁ ଲୋକଙ୍କ ଆଶାକୁ ନେଇ। ଯେଉଁ ଓଡ଼ିଶାବାସୀ ୨୪ ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ନିଜ ନେତା ଭାବେ ଗ୍ରହଣ କରିଥିଲେ ବିନା ଦ୍ବିଧାରେ, ସେହି ଲୋକମାନେ ଆଜି ବନ୍ୟାରେ ଯେତେବେଳେ ବିପଦରେ, ସେତେବେଳେ ବିରୋଧୀ ଦଳ ନେତା ଭାବେ ନବୀନଙ୍କୁ ନିଜ ପାଖରେ ଦେଖିବାକୁ ଚାହିଁବେ ନାହିଁ କି ? ଆଉ ଯଦି ଏଭଳି ଏକ ସମୟରେ ନବୀନ ପଟ୍ଟନାୟକ ବନ୍ୟା ବିପନ୍ନଙ୍କ ଭାବାବେଗ ସହ ଲୁଚକାଳି ଖେଳନ୍ତି, ତେବେ ଓଡ଼ିଶାବାସୀ ବିରୋଧୀ ଦଳ ନେତା ଭାବେ ନବୀନ ପଟ୍ଟନାୟକଙ୍କୁ କିଭଳି ମନେ ରଖିବେ ?

LEAVE A REPLY

Please enter your comment!
Please enter your name here

Popular Articles