Tuesday, September 1, 2026
spot_imgspot_img

Top 5 This Week

spot_img

Related Posts

ଅଗଡ଼ମ ବଗଡ଼ମ: ମାଗଣା ରାବେଡ଼ି ଦେଶର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଉତ୍ତରପ୍ରଦେଶ ସରକାର ଆଗାମୀ ଦିନରେ ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତା ବୃଦ୍ଧି ପାଇଁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେବାକୁ ଯାଉଛନ୍ତି। ଏହି ପଦକ୍ଷେପଟି ଶୁଣିବାକୁ ଭଲ ଲାଗିଲେ ମଧ୍ୟ ଏହା ଦେଶର ଅର୍ଥନୀତି ଉପରେ ଏକ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯେପରି ଓଡ଼ିଶାରେ ‘ସୁଭଦ୍ରା ଯୋଜନା’, ବିହାରରେ ପ୍ରାୟ ୩୩,୦୦୦ କୋଟି ଟଙ୍କାର ବିଭିନ୍ନ ଘୋଷଣା, ଏବଂ ମଧ୍ୟପ୍ରଦେଶରେ ‘ଲାଡ଼ଲୀ ବହନା’ ଭଳି ଯୋଜନା ମାଧ୍ୟମରେ କୋଟି କୋଟି ମହିଳାଙ୍କୁ ନଗଦ ଅର୍ଥ ଦିଆଯାଉଛି, ସେଗୁଡ଼ିକ ରାଜ୍ୟର ରାଜକୋଷ ଉପରେ ପ୍ରଚଣ୍ଡ ବୋଝ ପକାଉଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବିଭିନ୍ନ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଭୋଟ୍ ରାଜନୀତି ପାଇଁ ମାଗଣା ସାମଗ୍ରୀ ଓ ନଗଦ ଅର୍ଥ ବାଣ୍ଟିବାରେ ଏକ ଅସ୍ୱାସ୍ଥ୍ୟକର ପ୍ରତିଯୋଗିତା ଚଳାଇଛନ୍ତି।

ଦକ୍ଷିଣ ଭାରତରୁ ଆରମ୍ଭ ମାଗଣା ରାଜନୀତି

ଏହି ମାଗଣା ସଂସ୍କୃତି କୌଣସି ନୂଆ କଥା ନୁହେଁ; ଏହାର ମୂଳଦୁଆ ବିଶେଷକରି ତାମିଲନାଡ଼ୁ ଏବଂ ଆନ୍ଧ୍ରପ୍ରଦେଶରୁ ଆରମ୍ଭ ହୋଇଥିଲା। ସେତେବେଳେ ସାମାଜିକ ସୁରକ୍ଷା ନାମରେ ଆରମ୍ଭ ହୋଇଥିବା ଏହି ରାଜନୈତିକ ରଣନୀତି କ୍ରମଶଃ ଏକ ସଂକ୍ରାମକ ରୋଗ ଭଳି ସମଗ୍ର ଦେଶରେ ବ୍ୟାପିଗଲା। ଆଜି ଦକ୍ଷିଣରୁ ଉତ୍ତର ଏବଂ ପୂର୍ବରୁ ପଶ୍ଚିମ—ପ୍ରାୟ ସବୁ ରାଜ୍ୟରେ ଦଳଗତ ନିର୍ବିଶେଷରେ ସରକାରଗୁଡ଼ିକ ଜନସାଧାରଣଙ୍କ କରଦାତା ଟଙ୍କାକୁ ବିକାଶମୂଳକ କାର୍ଯ୍ୟରେ ଲଗାଇବା ବଦଳରେ ସିଧାସାଳକ ମାଗଣା ଉପହାରରେ ବାଣ୍ଟିବାରେ ଲାଗିଛନ୍ତି। ଏହି ପଦ୍ଧତି ଦ୍ୱାରା ଜନସାଧାରଣଙ୍କୁ କର୍ମଠ ଓ ସ୍ୱାବଲମ୍ବନଶୀଳ କରିବା ବଦଳରେ ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ କରାଯାଉଛି।
ଫ୍ରିବି ବାବଦରେ ବାର୍ଷିକ ହଜାର ହଜାର କୋଟି ଟଙ୍କାର ଅପଚୟ
ବିଭିନ୍ନ ରିସର୍ଚ୍ଚ ରିପୋର୍ଟ ତଥ୍ୟ ଅନୁଯାୟୀ, ଭାରତର ପ୍ରାୟ ୧୨ଟି ରାଜ୍ୟ କେବଳ ମହିଳା-କୈନ୍ଦ୍ରିକ ନିଃସର୍ତ୍ତ ନଗଦ ସ୍ଥାନାନ୍ତର ପାଇଁ ୨୦୨୫-୨୬ ବଜେଟ୍‌ରେ ୧,୬୮,୦୪୦ କୋଟି ଟଙ୍କା ବଣ୍ଟନ ପାଇଁ ବଜେଟ୍ କରିଛନ୍ତି। ଏଥିସହିତ, ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ଦେଶର ବିଭିନ୍ନ ରାଜ୍ୟଗୁଡ଼ିକରଜିଏସ୍‍ଡିପିର ୦.୧% ରୁ ୨.୭% ପର୍ଯ୍ୟନ୍ତ କେବଳ ମାଗଣା ଯୋଜନା, ରିହାତି ଏବଂ କ୍ୟାସ୍ ଟ୍ରାନ୍ସଫର ପଛରେ ଖର୍ଚ୍ଚ ହେଉଛି। ଗତ କିଛି ବର୍ଷ ଭିତରେ (ବିଶେଷକରି ୨୦୨୧-୨୦୨୬ ମଧ୍ୟରେ) ଏହି ମାଗଣା ରାଜନୀତି ପାଇଁ ଦେଶର ରାଜକୋଷରୁ ପ୍ରତିବର୍ଷ ଲକ୍ଷ ଲକ୍ଷ କୋଟି ଟଙ୍କା ଅଣ-ଉତ୍ପାଦନଶୀଳ କ୍ଷେତ୍ରରେ ଅପଚୟ ହେଉଛି, ଯାହାଫଳରେ ରାଜ୍ୟଗୁଡ଼ିକର ଋଣଭାର ଭୟଙ୍କର ଭାବେ ବୃଦ୍ଧି ପାଇଛି।
ଏତିକି ଟଙ୍କାରେ କ’ଣ ସବୁ ହୋଇପାରନ୍ତା?
ଯଦି ଆମେ ଫ୍ରିବି ନାମରେ ବାର୍ଷିକ ଖର୍ଚ୍ଚ ହେଉଥିବା ଏହି ବିପୁଳ ଅର୍ଥ (ଯଥା: କେବଳ ୧୨ଟି ରାଜ୍ୟର ବାର୍ଷିକ ୧.୬୮ ଲକ୍ଷ କୋଟିରୁ ଅଧିକ ଟଙ୍କା) ର ଏକ ସଠିକ୍ ହିସାବ କାଢ଼ିବା, ତେବେ ଏହାର ପ୍ରକୃତ କ୍ଷତି ଅନୁଭବ ହେବ।

ସ୍କୁଲ୍ ନିର୍ମାଣ:

ଭାରତରେ ଏକ ଅତ୍ୟାଧୁନିକ, ମାନକ ସୁବିଧାଯୁକ୍ତ ଏବଂ ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ଥିବା ସ୍କୁଲ୍ ତିଆରି କରିବା ପାଇଁ ପ୍ରାୟ ୫ ରୁ ୧୦ କୋଟି ଟଙ୍କା ଖର୍ଚ୍ଚ ହୁଏ। ଯଦି ଏହି ୧.୬୮ ଲକ୍ଷ କୋଟି ଟଙ୍କାକୁ ବ୍ୟବହାର କରାଯାନ୍ତା, ତେବେ ଦେଶରେ ପ୍ରତିବର୍ଷ ପ୍ରାୟ ୧୭,୦୦୦ ରୁ ୩୩,୦୦୦ଟି ନୂତନ ବିଶ୍ୱସ୍ତରୀୟ ସ୍କୁଲ୍ କିମ୍ବା ଶିକ୍ଷାନୁଷ୍ଠାନ ଖୋଲାଯାଇ ପାରନ୍ତା, ଯାହା ଦ୍ୱାରା ଲକ୍ଷାଧିକ ଗରିବ ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରନ୍ତା।

ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍:

ଭାରତୀୟ ସେନା ଏବଂ ଅର୍ଦ୍ଧସାନିକ ବାହିନୀ ପାଇଁ ବ୍ୟବହୃତ ହେଉଥିବା ଗୋଟିଏ ଉଚ୍ଚମାନର, ଅତ୍ୟାଧୁନିକ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍‌ର ମୂଲ୍ୟ ପ୍ରାୟ ୫୦,୦୦୦ ରୁ ୭୦,୦୦୦ ଟଙ୍କା ହୋଇଥାଏ। ଫ୍ରିବି ନାମରେ ଅପଚୟ ହେଉଥିବା ଏହି ଲକ୍ଷ କୋଟିରୁ ଅଧିକ ଟଙ୍କାରେ ଦେଶର ପ୍ରତିରକ୍ଷା କ୍ଷେତ୍ର ପାଇଁ କୋଟି କୋଟି ଜବାବନଙ୍କୁ ବିପଦରୁ ରକ୍ଷା କରିବା ପାଇଁ କୋଟିଏରୁ ଅଧିକ ଉନ୍ନତମାନର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ କିମ୍ବା ଆବଶ୍ୟକୀୟ ଅତ୍ୟାଧୁନିକ ସୁରକ୍ଷା ସରଞ୍ଜାମ କିଣି ଯୋଗାଇ ଦିଆଯାଇ ପାରନ୍ତା।
ଦେଶର ମଙ୍ଗଳ ନା କେବଳ ଟଙ୍କା ଅପଚୟ?
ଏହି ପ୍ରକାର ମାଗଣା ସଂସ୍କୃତି ଦ୍ୱାରା ଦେଶର କୌଣସି ପ୍ରକାରର ପ୍ରକୃତ ମଙ୍ଗଳ ହେଉ ନାହିଁ, ବରଂ କେବଳ ଟଙ୍କା ଅପଚୟ ହେଉଛି। ଯେତେବେଳେ ସରକାର କୌଣସି ଭିତ୍ତିଭୂମି ବିକାଶ କାମରେ ଟଙ୍କା ନ ଲଗାଇ କେବଳ ଭୋଟ୍ ପାଇବା ଆଶାରେ ନଗଦ ଅର୍ଥ ବାଣ୍ଟନ୍ତି, ସେତେବେଳେ ଦେଶର ପ୍ରକୃତ ଆବଶ୍ୟକତାଗୁଡ଼ିକ ଅବହେଳିତ ହୋଇ ରହିଯାଏ। ଏହି ଟଙ୍କା ଦ୍ୱାରା ଦେଶର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହେବାରେ ଲାଗିଛି ଏବଂ ଜନସାଧାରଣଙ୍କୁ କର୍ମଠ କରିବା ବଦଳରେ ସେମାନଙ୍କୁ ସରକାରୀ ଭିକ୍ଷା ଉପରେ ନିର୍ଭରଶୀଳ କରାଯାଉଛି।
ପରିଶେଷରେ, ଯଦି ଏହି ‘ମାଗଣା ରାବେଡି’ ସଂସ୍କୃତିକୁ ତୁରନ୍ତ ନିୟନ୍ତ୍ରଣ କରାନଯାଏ, ତେବେ ଆଗାମୀ ଦିନରେ ଭାରତୀୟ ଅର୍ଥନୀତି ଗଭୀର ସଙ୍କଟରେ ପଡ଼ିଯିବ ଏବଂ ଦେଶ କାଙ୍ଗାଳ ହେବାକୁ ବେଶୀ ସମୟ ନାହିଁ। ରାଜନୈତିକ ଦଳମାନେ ନିଜର ଦଳୀୟ ସ୍ୱାର୍ଥ ଛାଡ଼ି ଦେଶର ସ୍ୱାର୍ଥକୁ ପ୍ରଥମେ ଦେଖିବା ଉଚିତ୍।

LEAVE A REPLY

Please enter your comment!
Please enter your name here

Popular Articles