Tuesday, September 1, 2026
spot_imgspot_img

Top 5 This Week

spot_img

Related Posts

ମୋଦୀଙ୍କ ଟିମରେ ହେବ ବ୍ୟାପକ ଅଦଳ ବଦଳ: ଓଡ଼ିଶାରୁ ୨ ନୂଆ ମୁହଁ, ଧର୍ମେନ୍ଦ୍ରଙ୍କ ପ୍ରତ୍ୟାବର୍ତ୍ତନ ଚର୍ଚ୍ଚା

ବିଜେପିର ନୂଆ ପଦାଧିକାରୀମାନଙ୍କ ନାମ ଘୋଷଣା ପରେ ଏବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ତଥା ଅଦଳବଦଳକୁ ନେଇ ଚର୍ଚ୍ଚା ପୁଣିଥରେ ବ୍ୟାପକ ହୋଇଛି। ଆଗକୁ ୭ ରାଜ୍ୟରେ ବିଧାନସଭା ନିର୍ବାଚନ, ଦେଶରେ ଦେଖା ଦେଇଥିବା ଯୁବା ଆନ୍ଦୋଳନ ଏବଂ ବିଜେପିର ପ୍ରତିଶୃତି ପୂରଣ ପାଇଁ ଏହି ସମ୍ପ୍ରସାରଣ ଯେମିତି ସହାୟକ ହୋଇପାରିବ ସେଥିଲାଗି ପ୍ରସ୍ତୁତ ହେଉଛି କେନ୍ଦ୍ରୀୟ ଟିମ୍‍। ସେପ୍ଟେମ୍ବର ପ୍ରଥମ ଭାଗରେ ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ! ଆଞ୍ଚଳିକ ପ୍ରତିନିଧିତ୍ୱକୁ ଧ୍ୟାନ ଦେଇ ଓଡ଼ିଶାର ନୂଆ ମୂହଁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ, ନିଜର ଆତ୍ମବିଶ୍ୱାସକୁ ଫେରାଇ ଆଣିବା ଲାଗି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣିଥରେ କେନ୍ଦ୍ର ସରକାରରେ ସୁଯୋଗ ମିଳିପାରେ!

ଆସନ୍ତା ବର୍ଷ ଅର୍ଥାତ୍‍ ୨୦୨୭, ବିଜେପି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ। କେନ୍ଦ୍ର ନିର୍ବାଚନ ପୂର୍ବରୁ ଏହା ଏକ ଅଗ୍ନି ପରୀକ୍ଷା ବୋଲି କହିବାକୁ ହେବ। କାରଣ ଏହି ବର୍ଷ ଦେଶର ୭ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଯେଉଁଥିରେ ଭାରତର ରାଜନୀତିକ ପଟ୍ଟଭୂମିରେ ମୁଖ୍ୟ ଭୂମିକା ରକ୍ଷା କରୁଥିବା ଉତ୍ତରପ୍ରଦେଶ ରହିଛି। ଏହାସହ ରହିଛି ମଣିପୁର, ଉତ୍ତରାଖଣ୍ଡ, ଗୋଆ, ଗୁଜରାଟ, ହିମାଚଳ ଓ ପଞ୍ଜାବ ରାଜ୍ୟରେ ବିଧାନସଭା ନିର୍ବାଚନ।
ଉତ୍ତରପ୍ରଦେଶରେ ଲଗାତାର ବିଜେପି ଦୁଇଥର ସରକାର ଗଢ଼ିସାରିଲାଣି। କ୍ଷମତାରେ ଥାଇ ଦ୍ୱିତୀୟଥର ଲାଗି ତୃତୀୟ ସରକାର ଗଢ଼ିବାକୁ ଆଗଭର ହେଉଥିବା ବେଳେ, ଏଥର ସରକାର ବିରୋଧୀ ତତ୍ତ୍ୱକୁ କିପରି ଆୟତ୍ତ କରାଯିବ ତାହା ବିଜେପି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ। ସେହିପରି ଦୀର୍ଘ ଦିନ ହେଲା ମଣିପୁରରେ ସରକାରରେ ଥାଇ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତ କରିପାରି ନଥିବା ବିଜେପି ପାଇଁ ଏଥର ପରିସ୍ଥିତି କଠୋର ହୋଇପାରେ। ନେତୃତ୍ୱ ସଙ୍କଟ ଭିତରେ ବିଜେପି କିପରି କୁକି ଓ ମୈତେଇଙ୍କ ମଧ୍ୟରେ ନିଜର ପ୍ରତିଷ୍ଠା ହାସଲ କରିବ? ସେହିପରି ଗୋଆ ଏବଂ ଗୁଜରାଟ ମଧ୍ୟ ବିଜେପି ପାଇଁ ସରକାର ବିରୋଧୀ ତତ୍ତ୍ୱକୁ ପରିଚାଳନା କରିବା ଲାଗି ଏକ ବିଶାଳ ଆହ୍ୱାନ ସୃଷ୍ଟି କରିବ। ଅପରପକ୍ଷେ ପଞ୍ଜାବ ଓ ହିମାଚଳରେ ଏଥର ସୁଯୋଗକୁ କିପରି ଅକ୍ତିଆର କରିବ ତାହା ବଡ଼ ପ୍ରଶ୍ନ।
ଏଭଳି ଏକ ସମୟ ଭିତରେ ବିଜେପି ଅନେକ ବିରୋଧୀ ରାଜନୀତିକ ଦଳକୁ ନିଜ ପରିଧିକୁ ଆଣିବା ଲାଗି କାର୍ଯ୍ୟ କରୁଛି। ପଞ୍ଜାବରେ ଆପ୍‍କୁ ବିଭାଜନ, ଅକାଳୀ ଦଳ ସହ ପୁଣିଥରେ ମେଣ୍ଟ ସ୍ଥାପନ ପାଇଁ କଥାବାର୍ତ୍ତା ଏହାର ଏକ ସଦ୍ୟ ଉଦାହରଣ। ଉତ୍ତରପ୍ରଦେଶରେ ବିଜେପିର ନେତୃତ୍ୱ ପରିବର୍ତ୍ତନ, ଉଚ୍ଚଜାତିକୁ ପ୍ରଶମିତ କରିବା ପାଇଁ ଯୋଜନା ପ୍ରଣୟନ ଆଦି ଗୁରୁତ୍ୱ ବହନ କରୁଥିବାବେଳେ, ଗୋଆ, ଗୁଜରାଟରେ କଂଗ୍ରେସକୁ ଆହୁରି ନିମ୍ନଗାମୀ କରିବାପ ପାଇଁ ଚେଷ୍ଟା ଚଳାଇଛି ବିଜେପି। ଏଥିପାଇଁ କେତେବେଳେ କେଉଁ ରାଜ୍ୟର ଆଞ୍ଚଳିକ ଦଳ ସହ ବିଜେପି କେଉଁ ସର୍ତ୍ତରେ ମେଣ୍ଟ କରୁଛି ତାହା କଳନା କରିବା ବି କଠୋର ବ୍ୟାପାର। ଏପରିକି ଏପରି ରାଜ୍ୟଗୁଡ଼ିକରୁ ଅଧିକ ପ୍ରତିନିଧିଙ୍କୁ କେନ୍ଦ୍ର ସରକାରରେ ସ୍ଥାନୀତ କରି ସେଠାରେ ଥିବା ଦଳୀୟ ଅସନ୍ତୋଷକୁ ରୋକିବା ଓ ମେଣ୍ଟ ସହଯୋଗୀଙ୍କୁ ଆପ୍ୟାୟିତ କରିବା ଲାଗି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରୁଥିବା ସୂଚନା ମିଳିଛି।
ଆପ୍‍, ଶିବସେନା (ୟୁବିଟି) ଓ ତୃଣମୂଳ କଂଗ୍ରେସ ଭଳି ଦଳଗୁଡ଼ିକର ବିଭାଜନରେ ବିଜେପି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ଦକ୍ଷିଣ ଭାରତର କଠୋର ବିରୋଧୀ ଡିଏମକେ ଏବଂ ମହାରାଷ୍ଟ୍ରର ଶରଦ ପାଓ୍ୱାରଙ୍କ ଏନସିପିକୁ ସର୍ତ୍ତମୂଳକ ଭାବେ ନିଜ ପରିଧିଭୁକ୍ତ କରିବା ଲାଗି ଦଳ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି। ଏଣୁ କେନ୍ଦ୍ର ସରକାରରେ ଥିବା ଗଣିତ ବଦଳିପାରେ। ଦିନକୁ ଦିନ ବଡ଼ ହେଉଥିବା ଏନଡିଏ ପରିବାରରେ ବିଜେପିର ଉଦାରବାଦ ତଥା ସହଯୋଗୀଙ୍କୁ ସୁଯୋଗ ଦେବାର ଆଗ୍ରହ ରାଜନୀତିରେ ଅଧିକ ଫାଇଦା ଦେଇପାରେ।
ବିନା ସହଯୋଗୀ ଦଳରେ ବିଜେପିର ସରକାର ଗଠନ ଏକ ଅସମ୍ଭବ ବ୍ୟାପାର ହୋଇଥିବାରୁ ଦଳ ଏ ନେଇ ଏକ ବଡ଼ ପରିବର୍ତ୍ତନ ପାଇ ବାଟ ଖୋଲୁଛି। ଏଣୁ ସରକାରରେ ଥିବା ବିଭାଗ ଓ ମନ୍ତ୍ରଣାଳୟଗୁଡ଼ିକୁ ପ୍ରତ୍ୟକ୍ଷ ବା ପରୋକ୍ଷ ସହଯୋଗୀଙ୍କୁ ପ୍ରଦାନ ଲାଗି ବିଜେପି ସମୀକରଣକୁ ବଦଳାଇବାକୁ ଯାଉଛି।
ଏ ସମୀକରଣ ବଦଳିବାର ଆଉ ଏକ ପ୍ରମୁଖ କାରଣ ହେଉଛି ନିକଟରେ ବିରୋଧୀଙ୍କ ଶାଣିତ ଆକ୍ରମଣ, ସଂସଦ ଅଚଳ ରହିବା ଏବଂ ବଦଳୁଥିବା ଯୁବ ବର୍ଗର ଅସନ୍ତୋଷ। ଆଉ ଏହି ଇଙ୍ଗିତକୁ ଦୃଷ୍ଟିରେ ରଖି ବିଜେପି, ନୂଆ ସଭାପତି ନିତିନ ନବୀନଙ୍କ ନେତୃତ୍ୱରେ ନୂଆ କାର୍ଯ୍ୟ ନିର୍ବାହୀ ଦଳ ଘୋଷଣା କରିଛି। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ବିଜେପିର କୋଷାଧ୍ୟକ୍ଷ ଭାବେ ନିଯୁକ୍ତି, ଅମିତ ମାଲବ୍ୟଙ୍କୁ ଆଇଟି ସେଲରୁ ପ୍ରତ୍ୟାହାର ଏବଂ ସ୍ମୃତି ଇରାନୀ, ରାମ ମାଧବଙ୍କ ଭଳି ନେତାଙ୍କ କେନ୍ଦ୍ରୀୟ ଟିମ୍‍କୁ ପ୍ରତ୍ୟାବର୍ତ୍ତନ ଏବଂ ସର୍ବୋପରି ୬୫ ପଦାଧିକାରୀଙ୍କ ଭିତରେ ୫୧ ନୂଆ ମୁହଁଙ୍କ ପ୍ରବେଶ ବିଜେପିର ୨୦୨୯ ପ୍ରସ୍ତୁତିକୁ ନୂଆ ରୂପରେ ଅବତାରଣ କରିଛି।
ତେବେ ଏ ପରିବର୍ତ୍ତନ କିପରି ହେବ? କାହାକୁ ଏଥିରେ ଫାଇଦା ମିଳିବ, କିଏ ସହିବ ରାଜନୀତିକ ଯନ୍ତ୍ରଣା? ଏମିତି ଚର୍ଚ୍ଚା ଭିତରେ ଓଡ଼ିଶାକୁ କି ଫାଇଦା ମିଳିବ, ସେ ବିଷୟରେ ଆଲୋଚନା କରିବା, ନିମ୍ନ ବିନ୍ଦୁରେ:

(୧) ଜାତିଭିତ୍ତିକ ସମୀକରଣରେ ବ୍ରାହ୍ମଣ ପ୍ରତିନିଧିଙ୍କୁ ମିଳିପାରେ ଫାଇଦା

ପ୍ରଥମ ସମୀକରଣରେ ନିର୍ବାଚନମୁହାଁ ରାଜ୍ୟଗୁଡ଼ିକରେ ଭୋଟ କାରକଙ୍କୁ ଦୃଷ୍ଟି ଦେବ ବିଜେପି। ଏହିକ୍ରମରେ ଉତ୍ତରପ୍ରଦେଶର ଜାତି ଭିତ୍ତିକ ଭୋଟ ବ୍ୟାଙ୍କ ଗୁରୁତ୍ୱ ପାଇପାରେ। ଏବେ ଏହି ରାଜ୍ୟରୁ ସର୍ବାଧିକ ୧୦ ଜଣ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ରହିଛନ୍ତି। ଖୋଦ୍‍ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ବାରାଣସୀରୁ ନିର୍ବାଚିତ ସାଂସଦ। ସମୁଦାୟ ପ୍ରତିନିଧିତ୍ୱକୁ ଦେଖିଲେ ଏ ରାଜ୍ୟରୁ ପ୍ରଧାନମନ୍ତ୍ରୀଙ୍କୁ ମିଶାଇ ୫ ଜଣ ପ୍ରତିନିଧି ଓବିସି ବର୍ଗର ରହିଛନ୍ତି। ୩ ଜଣ ଉଚ୍ଚ ଜାତିର ଏବଂ ୨ ଜଣ ଅନୁସୂଚିତ ଜାତି ବା ଦଳିତ ବର୍ଗର । ନିକଟ ଅତୀତରେ ବ୍ରାହ୍ମଣ ବର୍ଗର ଆନ୍ଦୋଳନ ବିଜେପି ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି। ଏହା ରାଜ୍ୟ ପ୍ରସଙ୍ଗ ହୋଇଥିଲେ ମଧ୍ୟ ସବୁଠାରୁ ଅଧିକ ଆସନ ଧାରଣ କରୁଥିବା ରାଜ୍ୟରେ ଏହି ଅସନ୍ତୋଷ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରତିଧ୍ୱନୀତ ହୋଇପାରେ।
ବିଜେପି ପାଇଁ ସବୁବେଳେ ଉଚ୍ଚ ବର୍ଗ ଓ ଜାତି ଏକ ଭୋଟ ବ୍ୟାଙ୍କ ଭଳି କାର୍ଯ୍ୟ କରି ଆସିଛି। ହେଲେ କେନ୍ଦ୍ର ମନ୍ତ୍ରିମଣ୍ଡଳକୁ ଦେଖିଲେ ୭୧ ସଦସ୍ୟଙ୍କ ଭତରୁ ମାତ୍ର ୧୧ ଜଣ ହେଉଛନ୍ତି ବ୍ରାହ୍ମଣ ସମ୍ପ୍ରଦାୟର। ଅପରପକ୍ଷେ ୨୭ଜଣ ମନ୍ତ୍ରୀ ଓବିସି ବର୍ଗର ହୋଇଥିବା ବେଳେ ୧୦ ଜଣ ଅନ୍ୟ ଉଚ୍ଚଜାତିର ପ୍ରତିନିଧି। ୧୦ ଜଣ ଅନୁସୂଚିତ ଜାତିର ହୋଇଥିବା ବେଳେ ୫ଜଣ ଅନୁସୂଚିତ ଜନଜାତି ଏବଂ ୫ ଜଣ ହେଉଛନ୍ତି ଲଘୁ ସମ୍ପ୍ରଦାୟର ପ୍ରତିନିଧି। ଏଣୁ ଏଥର ସମ୍ପ୍ରସାରଣରେ ଜାତି ଭିତ୍ତିକ ଭୋଟ ବ୍ୟାଙ୍କକୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଧିକ ଉଚ୍ଚଜାତିର ପ୍ରତିନିଧିତ୍ୱ ଦେଖିବାକୁ ମିଳିପାରେ।
ଅପରପକ୍ଷେ ବ୍ରାହ୍ମଣ ବର୍ଗର ନିତିନ ଗଡ଼କରି, ନିର୍ମଳା ସୀତାରମଣଙ୍କ ବିଭାଗରେ ଅଦଳ ବଦଳକୁ ନେଇ ଚର୍ଚ୍ଚା ଚାଲିଛି। ପ୍ରହ୍ଲାଦ ଯୋଶୀଙ୍କୁ ଦୁଇଟି ବିଭାଗର ଦାୟିତ୍ୱ ଥିବାରୁ କିଛି ଦାୟିତ୍ୱରୁ ଅବ୍ୟାହତି ମିଳିପାରେ।

(୨) ଓଡ଼ିଶାରୁ ଆଦିବାସୀ ପ୍ରତିନିଧି

ଏବେ ରାଜ୍ୟର ଏକମାତ୍ର ସାଂସଦ ଭାବେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ କେନ୍ଦ୍ରମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ହେଲେ ତାଙ୍କର କାର୍ଯ୍ୟକଳାପରେ ଦଳ ସନ୍ତୁଷ୍ଟ ନଥିବା ନେଇ ଚର୍ଚ୍ଚା ହେଉଛି। ଏଣୁ ତାଙ୍କ ବଦଳରେ ଓଡ଼ିଶାର ଅନ୍ୟ ଜଣେ ଆଦିବାସୀ ସାଂସଦଙ୍କୁ ମନ୍ତ୍ରଣାଳୟ ମିଳିପାରେ। ବିଶ୍ୱସ୍ତ ସୂତ୍ର ଅନୁସାରେ ଏ ନେଇ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ନାଁ ଶୁଣାଯାଉଛି। ସେହିପରି ଉଚ୍ଚ ବର୍ଗର ପ୍ରତିନିଧି ଭାବେ ଧର୍ମେନ୍ଦ୍ରଙ୍କ ସ୍ଥାନରେ ଆଉ ଜଣେ ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯାଇପାରେ। ଏହିକ୍ରମରେ ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା ଏବଂ ମନମୋହନ ସାମଲଙ୍କ ନାଁ ଚର୍ଚ୍ଚା ହେଉଛି। ହେଲେ ନିକଟରେ ବିଜେପିର ପଦାଧିକାରୀ ତାଲିକାରେ ବୈଜୟନ୍ତଙ୍କୁ ଜାତୀୟ ଉପସଭାପତି ଆସନ ମିଳିଛି। ସେହିପରି ମନମୋହନ ରାଜ୍ୟ ବିଜେପି ସଭାପତି ରହିଛନ୍ତି। ବିଜେପିର ଏକ ନେତା-ଏକ ପଦବୀ ନୀତିରେ ଏ ଦୁହେଁ ମନ୍ତ୍ରୀ ଦୌଡ଼ରୁ ବାଦ ପଡ଼ି ପାରନ୍ତି। ଏଣୁ ଅପରାଜିତାଙ୍କୁ ଉଚ୍ଚ ବର୍ଗର ପ୍ରତିନିଧି ଭାବେ ଗ୍ରହଣ କରାଯାଇପାରେ। ମହିଳା ଏବଂ ପୂର୍ବ ଅମଲାତାନ୍ତ୍ରିକ ଅଭିଜ୍ଞତା ତାଙ୍କୁ ଏଥିନେଇ ସହାୟକ ହୋଇପାର। ହେଲେ ବିଗତ ଦିନମାନଙ୍କରେ ଯେଉଁଭଳି ଭାବେ ତାଙ୍କର ଅହଙ୍କାରୀ ଆଚରଣକୁ ନେଇ ଚର୍ଚ୍ଚା ହେଉଛି ତାହା ଅପରାଜିତାଙ୍କ ରାସ୍ତାର ପରାଜୟର କାରଣ ହୋଇପାରେ। ପୁଣି ରାଜ୍ୟ ସଭାପତି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ସହ ତାଙ୍କର ସୁ ସମ୍ପର୍କ ନାହିଁ। ନିକଟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ତାଙ୍କ ଝିଅଙ୍କ ସୋଶାଲ ମିଡିଆରେ ମନ୍ତବ୍ୟ ବଡ଼ ଅଡ଼ୁଆ ଚର୍ଚ୍ଚାକୁ ସୁଯୋଗ ଦେଇଥିଲା। ଏଣୁ ଧର୍ମେନ୍ଦ୍ର ଓ ମନମୋହନଙ୍କ ଲବି ତାଙ୍କୁ ସୁଯୋଗ ଦେଇ ନପାରେ।
ଅପରପକ୍ଷେ ଏ ମନ୍ତ୍ରିମଣ୍ଡଳ ଚର୍ଚ୍ଚାକୁ ପୁଣି ଫେରିଛନ୍ତି ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ବିଜେପି ରାଜନୀତିର ଅନ୍ୟତମ ଦୌଡ଼ୁଥିବା ଘୋଡ଼ା ଧର୍ମେନ୍ଦ୍ର ପ୍ରଧାନ। ମୋଦୀ ଏବଂ ଶାହ ଟିମ୍‍ ଯୁବା ଅସନ୍ତୋଷକୁ ପ୍ରଶମିତ କରିବା ଲାଗି ତାଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇଥିଲା। ହେଲେ ଏହା କକ୍ରୋଚ ଜନତା ପାର୍ଟି ଆଗରେ ବିଜେପିର ବଳିଷ୍ଠ ନେତୃତ୍ୱର ବିଫଳତା ବୋଲି ଚର୍ଚ୍ଚା ହୋଇଛି। ଏଣୁ ବିଜେପି ଏ ପ୍ରସଙ୍ଗରେ ନିଜର ଦୃଢ଼ତାକୁ ପ୍ରମାଣିତ କରିବା ଲାଗି ଧର୍ମେନ୍ଦ୍ରଙ୍କୁ ମନ୍ତ୍ରିମଣ୍ଡଳକୁ ଫେରାଇ ନେବ ବୋଲି ଚର୍ଚ୍ଚା ହେଉଛି। ନହେଲେ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେଇପାରେ।

(୩) ଆମ ଆଦମୀ ଓ ତୃଣମୂଳ

ନିକଟରେ ଆମ ଆଦମୀ ପାର୍ଟିରୁ ୭ଜଣ ସାଂସଦ ଏବଂ ତୃମୂଳ କଂଗ୍ରେସରୁ ୨୦ ଜଣ ସାଂସଦ ବିଜେପି ଶିବିରରେ ଯୋଗ ଦେଇ ଏନ୍‍ଡିଏର ଶକ୍ତି ବୃଦ୍ଧି କରିଛନ୍ତି। ଏହି ସାଂସଦମାନଙ୍କୁ ବିଜେପି ସନ୍ତୁଷ୍ଟ କରିବା ଲାଗି କିଛି ମନ୍ତ୍ରୀ ପଦ ତାଙ୍କୁ ଉପହାର ଦେଇପାରେ। ପୁଣି ଏହି ଶିବିରରେ ଅନେକ ଯୁବା ବର୍ଗଙ୍କୁ ପ୍ରଭାବିତ କରି ପାରୁଥିବା ପ୍ରତିନିଧି ହୋଇ ଥିବାରୁ ସେମାନଙ୍କୁ ସୁଯୋଗ ମିଳିପାରେ।

(୪) ୩ ଆସନ ଖାଲି, ୫ ଖାଲି ହେବାକୁ ଯାଉଛି

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନିକଟ ଅତୀତର; ଅନେକ ପଦବୀ ଖାଲି ହୋଇଛି। ଧର୍ମେନ୍ଦ୍ର ପ୍ରଧାନ, ରବନୀତ ସିଂହ ବିଟ୍ଟୁ, ଜର୍ଜ କୁରିଆନ୍‍ଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ରହିଛି। ସେହିପରି ରାଜ୍ୟସଭାରୁ ମନ୍ତ୍ରୀ ହୋଇଥିବା ବିଏଲ ବର୍ମା ଏବଂ ହରଦୀପ ସିଂହ ପୁରୀଙ୍କ ପଦବୀ ନିକଟ ଭବିଷ୍ୟତରେ ଖାଲି ହେବାକୁ ଯାଉଛି। ଏ ଦୁହେଁ ଉତ୍ତରପ୍ରଦେଶରୁ ରାଜ୍ୟସଭାର ସାଂସଦ ରହିଛନ୍ତି।
ସେହିପରି ବିଜେପି ‘ଏକ ପଦବୀ-ଏକ ନେତା’ ନୀତି କାର୍ଯ୍ୟକାରୀ କରିଲେ, ପୀୟୁଷ ଗୋୟଲ, ପଙ୍କଜ ଚୌଧୁରୀ, ହର୍ଷ ମଲହୋତ୍ରାଙ୍କ ଭଳି କେନ୍ଦ୍ରମନ୍ତ୍ରୀଙ୍କୁ ପଦବୀ ଛାଡ଼ିବାକୁ ହେବ। କାରଣ ନିକଟରେ ଘୋଷଣା କରାଯାଇଥିବା ଦଳୀୟ ପଦାଧିକାରୀ ତାଲିକାରେ ଏମାନଙ୍କୁ ବିଭିନ୍ନ ପଦପଦବୀ ମିଳିଛି। ଶ୍ରୀୟ ଗୋଏଲଙ୍କୁ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଥିବା ବେଳେ ପଙ୍କଜ ଏବେ ଉତ୍ତରପ୍ରଦେଶର ଦଳୀୟ ସଭାପତି ରହିଛନ୍ତି। ସେହିପରି ହର୍ଷ ମଲହୋତ୍ରା ହେଉଛନ୍ତି ଦିଲ୍ଲୀର ବିଜେପି ସଭାପତି। କିନ୍ତୁ ପଙ୍କଜ କୁର୍ମୀ ସମ୍ପ୍ରଦାୟରୁ ଆସୁଥିବାରୁ ତାଙ୍କ ପାଇ ଦଳ ସ୍ୱତନ୍ତ୍ର ଚେଷ୍ଟା କରିପାରେ।

(୫) ରାଜ୍ୟପାଳ ହେବେ ବରିଷ୍ଠ ନେତା

କିଛି ଗୁରୁତ୍ୱପୂର୍ଣ୍ଣ ନେତାଙ୍କୁ ଦଳ ରାଜ୍ୟପାଳ ଭାବେ ବିଭିନ୍ନ ରାଜ୍ୟକୁ ପଠାଇପାରେ। କାରଣ ନିକଟ ଭବିଷ୍ୟତରେ କିଛି ରାଜ୍ୟରେ ଏହି ପଦବୀ ଖାଲି ହେବାକୁ ଯାଉଛି। କଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶରେ ଏହି ପଦବୀ ଖାଲି ହେଉଥିବାରୁ କିଛି ବରିଷ୍ଠ ନେତା ରାଜ୍ୟପାଳ ମୁହାଁ ହୋଇପାରନ୍ତି। ଏଭଳି ସ୍ତରରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଏକ ପ୍ରମୁଖ ଘଣଟା ହୋଇପାରେ।

LEAVE A REPLY

Please enter your comment!
Please enter your name here

Popular Articles