ସର୍ବାଧିକ ଜନମତ ପାଇ ଦେଶରେ ତୃତୀୟଥର ପାଇଁ ଶାସନ କରୁଥିବା ବିଜେପି ପଡ଼ିଛି ଅକଳରେ। ଯଦିଓ ୨୦୧୪ ପରଠାରୁ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନିଜର କାୟା ବିସ୍ତାର କରି ଶାସନ ଅକ୍ତିଆର କରିଛି କିନ୍ତୁ ସମ୍ବିଧାନ ସଂଶୋଧନ କରି ନିଜର ପ୍ରତିଶୃତି ପୂରଣ କରିବାରେ ସମର୍ଥ ହୋଇପାରୁ ନାହିଁ। ଏହିକ୍ରମରେ ଆସନ୍ତା ସଂସଦ ଅଧିବେଶନ ପୁଣିଥରେ ଦଳ ପାଇଁ କଷଟିପଥର ହେବ।
ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। ଯଦିଓ ସାମ୍ବିଧାନିକ ବିଧି ବ୍ୟବସ୍ଥାରେଏହା ଏକ ସ୍ୱଭାବିକ ଅଧିବେଶନ ଭାବେ ବସିବାକୁ ଯାଉଛି କିନ୍ତୁ ଉଭୟ ସରକାରୀ ଓ ବିରୋଧୀ ଦଳ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଜେପି ଦେଇଥିବା ପ୍ରତିଶୃତିକୁ ପୂରଣ କରିବା ପାଇଁ ସରକାରଙ୍କୁ ଏହା ବଡ଼ ସୁଯୋଗ ଦେବାକୁ ଯାଉଛି। ଏହା ଐତିହାସିକ ହେବ ବୋଲି ଆଶା କରାଯାଏ। କିନ୍ତୁ ଏ ପରିସ୍ଥିତିକୁ ଯଦି ଠିକଣା ଭାବେ ଉପଯୋଗ ନ କରିପାରେ ତେବେ ଏହା ଦଳ ପାଇଁ ବୁମେରାଂ ବି ହୋଇପାରେ। ଅର୍ଥାତ୍ କ୍ଷମତାର ଖେଳ ଏଇଠୁ ବିଗିଡ଼ିପାରେ।
ପ୍ରଶ୍ନ ଉଠିପାରେ, ଯଦି ବିଜେପି ଦେଶର ସଂସଦରେ ସର୍ବୃହତ ନିର୍ବାଚିତ ପାର୍ଟି, ଏବଂ ଲଗାତାର ଭାବେ ବିଭିନ୍ନ ରାଜ୍ୟରେ ଏହା କ୍ଷମତା ଅର୍ଜନ କରୁଛି ତେବେ ଏଭଳି ଆଶଙ୍କା କାହିଁକି? ଏ ପ୍ରଶ୍ନର ଉତ୍ତର ଗତ ବଜେଟ୍ ଅଧିବେଶନରେ ସ୍ପଷ୍ଟ ପ୍ରମାଣିତ ହୋଇଛି। ଯେଉଁ ଅଧିବେଶନରେ ବଳ ଥାଇ ବି ଦଳ କିପରି ସମ୍ବିଧାନ ସଂଶୋଧନ କରିବାରେ ବିଫଳ ହୋଇଛି ତାହା ପ୍ରମାଣିତ ହୋଇଛି। କାରଣ ସରକାର ଗଢ଼ିବାକୁ ସିନା ଜନମତ ପ୍ରାପ୍ତ ହୋଇଛି କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭଳି ବିଜେପି ଶକ୍ତିଶାଳୀ ହୋଇପାରି ନାହିଁ।
ଇନ୍ଦିରା ଗାନ୍ଧିଙ୍କ ସରକାର
କଂଗ୍ରେସ ଶାସନର ସବୁଠାରୁ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧିଙ୍କୁ ଗ୍ରହଣ କରାଯାଏ। ଲାଲବାହାଦୂର ଶାସ୍ତ୍ରୀଙ୍କ ଅକାଳ ବିୟୋଗ ପରେ ସେ ଶାସନ ଭାର ଗ୍ରହଣ କରିଥିଲେ। ଆଉ ଅନେକ ବିରୋଧ ଓ କଂଗ୍ରେସରୁ ବିତାଡ଼ିତ ହୋଇ ମଧ୍ୟ ସେ ୧୫ ବର୍ଷରୁ ଅଧିକ ସମୟ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ଏହି ସମୟରେ ସେ ପ୍ରାୟ ୨୮ଟି ସମ୍ବିଧାନ ସଂଶୋଧନ ବିଧେୟକ ଆଣିଥିୀଲେ କିନ୍ତୁ ୪ଟି ସଂଶୋଧନ ବିଧେୟକ ବେଶ୍ ଚର୍ଚ୍ଚାର ବିନ୍ଦୁ ପାଲଟିଥିଲା। ଯେଉଁଥିପାଇଁ ଆଜି ଦେଶର ରାଜନୀତିକ ପଟ୍ଟଭୂମିରେ ଇନ୍ଦିରା ଗାନ୍ଧିଙ୍କୁ ଲୋକେ ମନେ ପକାନ୍ତି। ଏହି ସଂଶୋଧନ ଗୁଡ଼ିକ ଭିତରେ ରହିଛି:
- ମୌଳିକ ଅଧିକାର ସମେତ ସମ୍ବିଧାନର କୌଣସି ବି ଅଂଶକୁ ସଂଶୋଧନ କରିବା ପାଇଁ ସଂସଦକୁ କ୍ଷମତା ପ୍ରଦାନ
- ଜମିଦାର ଓ ରାଜାମାନଙ୍କ ହାତ ପାଣ୍ଠି ଉଚ୍ଛେଦ
- ସିକ୍କିମକୁ ୨୨ତମ ରାଜ୍ୟ ଭାବେ ଦେଶରେ ସମ୍ମିଶ୍ରଣ ଏବଂ
- ସମ୍ବିଧାନର ପ୍ରିଆମ୍ବଲ ବା ମୁଖବନ୍ଧରେ ‘ସାମାଜିକ’ ଓ ‘ଧର୍ମ ନିରପେକ୍ଷ’ ଶବ୍ଦ ଦୁଇଟିର ସଂଯୋଗ।
ଆଜି ବି ଏହି ସଂଶୋଧନ ଚର୍ଚ୍ଚାରେ ରହିଛି। ଏପରିକି କିଛି କଂଗ୍ରେସ ବିରୋଧୀ ମୋଦୀ ସରକାରଙ୍କୁ ଦେଶର ସମ୍ବିଧାନରୁ ଏ ଦୁଇ ଶବ୍ଦକୁ ହଟାଇବା ପାଇଁ ଯୁକ୍ତି ବାଢ଼ୁଛନ୍ତି।
ନରେନ୍ଦ୍ର ମୋଦୀଙ୍କ ଅକଳ
ଅପରପକ୍ଷେ ନରେନ୍ଦ୍ର ମୋଦୀଙ୍କ ସରକାର ଇନ୍ଦିରାଙ୍କ ଭଳି ସମୟ କାଳ ଅତିକ୍ରାନ୍ତ ରି ନଥିଲେ ମଧ୍ୟ ୨୦୧୪ରୁ ଆଜି ପର୍ଯ୍ୟନ୍ତ ୮ଟି ସମ୍ବିଧାନ ସଂଶୋଧନ ବିଧେୟକ ଆଣିଛନ୍ତି ଏବଂ ତାହାକୁ ପାରିତ କରିଛନ୍ତି। ଏ ଭିତରୁ ଦୁଇଟି ସଂଶୋଧନ ବିଧେୟକ ଲାଗୁ ହୋଇ ପାରି ନାହିଁ। ଗୋଟିଏ ହେଉଛି ୨୦୧୪ ପ୍ରଥମ ସରକାର ସମୟରେ ଅଣାଯାଇଥିବା ୯୯ ତମ ସଂଶୋଧନ ବିଧେୟକ, ଯାହା କୋର୍ଟଗୁଡ଼ିକରେ ବିଚାରପତି ନିଯୁକ୍ତି ପାଇଁ ସ୍ୱତନ୍ତ୍ର ନ୍ୟାୟିକ ନିଯୁକ୍ତି କମିଶନ ଗଠନ ଓ ନାରୀ ବନ୍ଦନ ଅଧିନିୟମ ସାମିଲ ରହିଛି।
ନ୍ୟାୟିକ ସଂଶୋଧନ ବିଧେୟକ ସଂସଦରେ ପାରିତ ହୋଇଥିଲେ ମଧ୍ୟ ସୁପ୍ରିମ କୋର୍ଟ ଏହାକୁ ଅଣ ସମ୍ବିଧାନିକ ବୋଲି ମତ ଦେବାରୁ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଅପରପକ୍ଷେ ନାରରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇ ୨୦୨୯ ସାଧାରଣ ନିର୍ବାଚନରେ ମହିଳାଙ୍କ ଭାଗିଦାରୀକୁ ୩୩ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖିଥିଲେ ମଧ୍ୟ ଏକ ଅନ୍ଧକାରମୟ ଭବିଷ୍ୟତକୁ ଠେଲି ହୋଇ ଯାଇଛି। ଗତ ଅଧିବେଶନରେ ଏହା ସ୍ପଷ୍ଟ ପରିଲକ୍ଷିତ ହେବା ପରେ ଏବେ ଚଳିତ ଅଧିବେଶନକୁ ଅପେକ୍ଷା କରିଛି।
ଲୋକସଭା ଗଣିତ
ଲୋକସଭାରେ ସମୁଦାୟ ଅନୁମୋଦିତ ଆସନ ସଂଖ୍ୟା ହେଉଛି ୫୪୩। ଏବେ କିନ୍ତୁ ୩ ଆସନ ଖାଲି ପଡ଼ିଥିବାରୁ ସମୁଦାୟ ସଦସ୍ୟ ସଂଖ୍ୟା ହେଉଛି ୫୪୦। ଏହିକ୍ରମରେ ସାଧାରଣ ସଂଖ୍ୟା ଗରିଷ୍ଠତା ହେଉଛି ୨୭୧, ଯାହା କୌଣସି ପ୍ରକାର ସମ୍ବିଧାନ ସଂଶୋଧନ ବିଧେୟକ ଆଗତ ହେବା ପାଇଁ ଯଥେଷ୍ଟ। କିନ୍ତୁ ଏହିପ୍ରକାର ବିଧେୟକ ପାରିତ ହେବା ଲାଗି ମତ ଦେଇଥିବା ସଦସ୍ୟଙ୍କ ଭିତରୁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସପକ୍ଷ ଭୋଟ ଆବଶ୍ୟକ। ହିସାବ ଅନୁସାରେ ଚଳିତ ଲୋକସଭାରେ ଏହି ସଂଖ୍ୟା ହେଉଛି ୩୬୦।
ଏପ୍ରିଲ ମାସରେ ଯେତେବେଳେ ନାରୀ ବନ୍ଦନ ଆଇନ ଲାଗୁ ହେବା ପାଇଁ ଆବଶ୍ୟକ ବିଧେୟକ ଏବଂ ଲୋକସଭାର ଆସନ ସଂଖ୍ୟା ବୃଦ୍ଧି ନେଇ ସମ୍ବିଧାନ ସଂଶୋଧନ ବିଧେୟକ ଆଗତ ହୋଇଥିଲା ସେତେବେଳେ ସମୁଦାୟ ୫୪୦ ସାଂସଦଙ୍କ ଭିତରୁ ମାତ୍ର ୫୨୮ ଜଣ ଉପସ୍ଥିତ ଥିଲେ। ଅର୍ଥାତ୍ ବିଧେୟକ ପାରିତ ହେବା ଲାଗି ୩୫୨ ସାଂସଦଙ୍କ ଭୋଟ ଆବଶ୍ୟକ ଥିଲା। କିନ୍ତୁ ଏନ୍ଡିଏକୁ ମାତ୍ର ୨୯୩ ଭୋଟ ମିଳିଥିଲା। ଏଥିରୁ ବିଜେପିର ଭୋଟ ଦେଇଥିବା ସାଂସଦଙ୍କ ସଂଖ୍ୟା ୨୪୦ ଥିବାବେଳେ, ଟିଡିପିର ୧୬, ଜେଡିୟୁ ୧୨, ଶିବସେନା (ଏକନାଥ ସିନ୍ଧେଙ୍କ ଗୋଷ୍ଠି) ୭ ,ଲୋକ ଜନଶକ୍ତି ପାର୍ଟି ୫ ଏବଂ ଜନତା ଦଳ ସିକ୍ୟୁଲାର, ଜନସେନା ପାର୍ଟି, ଆର୍ଏଲ୍ଡିରୁ ୨ ଜଣ ଲେଖାଏଁ ସାଂସଦ ଭୋଟ ଦେଇଥିଲେ।
ସେହିପରି ଏଜେଏସ୍ୟୁ, ଅପନା ଦଳ, ଆସାମ ଗଣମପରିଷଦ, ହିନ୍ଦୁସ୍ତାନୀ ଆ୍ୱାମ ମୋର୍ଚ୍ଚା ପକ୍ଷରୁ ଜଣେ ଲେଖାଏଁ ଏବଂ ସ୍ୱାଧୀନ ସାଂସଦ ଜଣେ ବିଲ ସପକ୍ଷରେ ଭୋଟ ଦେଇଥିଲେ। ୨୩୦ ଜଣ ସାଂସଦ ବିଧେୟକ ବିପକ୍ଷରେ ଭୋଟ ଦେଇଥିବାବେଳେ ୧୧ ଜଣ ସାଂସଦ ଅନୁପସ୍ଥିତ ଥିଲେ। ମୋଟାମୋଟି ଭାବେ ଦୁଇ ତୃତୀୟଂଶ ସଦସ୍ୟଙ୍କ ଭୋଟ ହାସଲ କରି ନପାରିବା ହେତୁ ମୋଦୀ ସରକାରଙ୍କ ବହୁ ପ୍ରତୀକ୍ଷିତ ଐତିହାସିକ ବିଧେୟକ ଫେଲ ମାରିଲା।
୨୦୧୪ ମସିହାରେ ଅଦୂର ଦୃଷ୍ଟି ହେତୁ ଯେଉଁଭଳି ଭାବେ ଏକ ବିଧେୟକ ପାରିତ ହୋଇ ସୁପ୍ରିମ କୋର୍ଟରେ ଅସାମ୍ବିଧାନିକ ଘୋଷଣା ହେଲା, ଠିକ୍ ସେହି ଅଧ୍ୟାୟର ପୁନରାବୃତ୍ତି ହୋଇଥିଲା, ଅନ୍ୟ ଏକ ପ୍ରକାରେ।
ଏବେକାର ପରିସ୍ଥିତି
ଏବେ ତୃଣମୂଳ କଂଗ୍ରେସର ବିଭାଜନ ପରେ ୨୦ଜଣ ସାଂସଦଙ୍କ ଭୋଟ ବିଜେପି ପକ୍ଷକୁ ଆସିଛି। ସେହିପରି ଶିବସେନା ୟୁବିଟି ୬ ଏବଂ ଅନ୍ୟ ଦଳରୁ ୩ ଜଣ ସାଂସଦ ଏକନାଥ ସିନ୍ଧେଙ୍କ ଗୋଷ୍ଠୀରେ ଯୋଗ ଦେବାଫଳରେ ଶିବସେନାର ସଂସଦ ସଂଖ୍ୟାରେ୯ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଛି।
ଏହାଦ୍ୱାରା ଲୋକସଭାରେ ବିଜେପି ସପକ୍ଷରେ ୩୧୯ ସାଂସଦଙ୍କ ସଂଖ୍ୟା ପହଞ୍ଚିଛି। କିନ୍ତୁ ସମୁଦାୟ ୫୪୦ ସଂଖ୍ୟାକୁ ଦେଖିଲେ ଦୁଇ ତୃତୀୟାଂସ ସଦସ୍ୟ ସଂଖ୍ୟା ହେଉଛି ୩୬୦। ଅର୍ଥାତ୍ ଆହୁରି ୪୧ ସାଂସଦଙ୍କ ସପକ୍ଷ ଭୋଟ ଆବଶ୍ୟକ ରହିଛି। ଏଥିଲାଗି ଏନ୍ଡିଏର ରଣନୀତିକାରମାନେ ସାଂସଦଙ୍କ ଭୋଟ ଅକ୍ତିଆର ଅପେକ୍ଷା ସାଂସଦ କିପରି ଭୋଟ ଦେବାରୁ ବିରତ ରହିବେ ସେଥିଲାଗି ସର୍ତ୍ତମୂଳକ ବିଚାର ବିମର୍ଷ କରୁଛନ୍ତି।
ଏହିକ୍ରମରେ ଡିଏମକେ ସହ ଅଣ କଂଗ୍ରେସ ଓ ଅଣ ବିଜେପି ଦଳ ଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ଡିଏମକେର ୨୨ ସାଂସଦ ପୂର୍ବରୁ କଂଗ୍ରେସକୁ ସମର୍ଥନ କରି ଆସୁଥିଲେ। ହେଲେ ତାମିଲନାଡ଼ୁରେ ପରାଜୟ ପରେ ଏବଂ କଂଗ୍ରେସ ହାତଛଡ଼ା କରିବା ପରେ ଏବେ ଡିଏମକେ ବିଜେପି ଶିବିରକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି। ସେହିପରି ଏନ୍ସିପି (ଶରଦ ପାଓ୍ୱାର) ମଧ୍ୟ କଂଗ୍ରେସକୁ ନେଇ ପଛାଉଛି। ଏହି ଦଳର ୯ ସଦସ୍ୟ ରହିଛନ୍ତି। ଯଦି ବି ଏମାନେ ଏନଡିଏକୁ ସମର୍ଥନ ନକରି ବିରତ ରହନ୍ତି ତେବେ ମଧ୍ୟ ଏହା ଏନ୍ଡିଓ ବିଜେପି ପାଇଁ ସହାୟକ ହେବ।
ଅର୍ଥାତ୍ ଡିଏମ୍କେ ଏବଂ ଏନସିପିର ୩୧ ସାଂସଦ ମତଦାନରୁ ବିରତ ରହିବେ ତେବେ ଦୁଇ ତୃତୀୟାଂଶ ସଂଖ୍ୟା ୩୪୦ରେ ପହଞ୍ଚିବ। ଆଉ ଏହି ସଂଖ୍ୟା ହାସଲ କରିବା ପାଇଁ ଆଉ ୨୧ ଜଣ ସ୍ୱାଧୀନ ସାଂସଦଙ୍କ ଭୋଟ ଆବଶ୍ୟକ। ଅବଶ୍ୟ ୱାଇଏସ୍ଆର ସିପି ସହ କିଛି ସ୍ୱାଧୀନ ଏବ ଏକକ ସାଂସଦ ଥିବା ଦଳ ଏନ୍ଡିଏକୁ ସର୍ତ୍ତମୂଳକ ସମର୍ଥନ ଦେଇପାରନ୍ତି। ଅର୍ଥାତ୍ ଏଥିନେଇ ବିଜେପି କିଛି ଯୋଜନା ଚଳାଇପାରେ। ଯଦି ଏହି ଯୋଜନା ଫସର ଫାଟେ ତେବେ ୨୦୨୯ ଯୋଜନା ମଧ୍ୟ ସଙ୍କଟଜନକ ଫଳାଫଳ ଦେଇପାରେ।
ରାଜ୍ୟସଭା ଗଣିତ
ଏବେ ରାଜ୍ୟସଭାରେ ସମୁଦାୟ ଆସନ ସଂଖ୍ୟା ୨୪୫ରୁ ୨୪୨ ଜଣ ସଦସ୍ୟ ରହିଛନ୍ତି। ଏଣୁ ସମ୍ବିଧାନ ସଂଶୋଧନ ବିଧେୟକ ଆଗତ ପାଇଁ ୧୬୧ ଭୋଟ ଏବଂ ପାରିତ ହେବା ଲାଗି ଦୁଇ ତୃତୀୟଂଶ ଭାବେ ୧୬୧ ଭୋଟ ଆବଶ୍ୟକ।
ବିଜେପି ପାଖରେ ଏବେ ୧୧୪ ନିଜସ୍ୱ ସାଂସଦ ରହିଛନ୍ତି। ଆପ୍ର ୭ ସାଂସଦ ଯେଉଁମାନେ ଏପ୍ରିଲରେ ଯୋଗ ଦେଇଛନ୍ତି ତାଙ୍କୁ ଏହି ସଂଖ୍ୟାରେ ମିଶା ଯାଇଛି। ଅନ୍ୟ ସହଯୋଗୀଙ୍କୁ ମିଶାଇଲେ ଏହି ସଂଖ୍ୟା ୧୪୦ରେ ପହଞ୍ଚି ପାରେ। ଏଠି ମଧ୍ୟ ଆବଶ୍ୟକ ୨୧ ଭୋଟକୁ ନେଇ ଦ୍ୱନ୍ଦ୍ୱ ରହିଛି। ଏହାକୁ ବି ବିଜେପିର ପଣ୍ଡିତମାନେ ମୁକାବିଲା କରିବାକୁ ହେବ।
ଅପରପକ୍ଷେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳର ଦିନଗୁଡ଼ିକୁ ଗଣି ଅଧିକ ଦିନ ରହିଥିବା ମୋଦୀଙ୍କୁ ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ରେକର୍ଡ ଭାଙ୍ଗିବାକୁ ହେବ। ଆଉ ଏଥିଲାଗି ଏହା ଏକ ସୁବର୍ଣ୍ଣ ସୁଯୋଗ। ଅର୍ଥାତ୍ ପରିସ୍ଥିତି କର ବା ମର ହୋଇଥିବାରୁ ଏଥର ପାସ୍ ହେବାକୁ ବିଜେପି ଏକଦା ବିରୋଧୀ ଥିବା ଦଳମାନଙ୍କ ଦାବିକୁ ମଧ୍ୟ ପୂରଣ କରିବାକୁ ପଛଘୁଞ୍ଚା ଦେଇ ନ ପାରେ! ଏଣୁ ଅପେକ୍ଷା ସେଇ ମୁହୂର୍ତ୍ତକୁ।





